ତୁର୍କୀଜ୍ ସିରିଜ୍‌ ‘୧୦୦୧ ନାଇଟ୍‌ସ’ର ରିମେକରେ ଅଦିତି, ସୋନି ଟିଭିରେ ହେବ ପ୍ରସାରଣ

ମୁମ୍ବାଇ:  ପ୍ରସାରିତ ହେବାକୁ ଯାଉଛି ତୁର୍କୀଜ୍ ଟେଲି ସିରିଜ୍ ‘୧୦୦୧ ନାଇଟ୍‌ସ’ର ରିମେକ୍। ଏଇ ସିରିଜ୍‌ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ ଅଦିତି ଶର୍ମା ଓ ଆଦ୍‌ନାନ୍‌ ଖାନ୍। ରଣବୀର ସିଂ ଓ ଶାହିଦ କପୁରଙ୍କ ଭଳି ଅଭିନେତାଙ୍କ ସହ ପୂର୍ବରୁ ‘ସିଲ୍‌ସିଲା ବଦଲ୍‌ତେ ରିସ୍ତୋଁ କା’ରେ ଅଭିନୟ କରିଥିବା ଅଦିତି ଏବେ ଛୋଟ ପରଦାକୁ ଫେରୁଛନ୍ତି। ତେବେ ବିଶ୍ବର ୫୦ରୁ ଅଧିକ ଦେଶରେ ଭିନ୍ନ ଭାଷାଭାଷୀର ଦର୍ଶକଙ୍କୁ ଭେଟି ଦିଆଯାଇଥିବା ତୁର୍କୀଜ୍ ସିରିଜ୍ ‘୧୦୦୧ ନାଇଟ୍‌ସ’ର ରିମେକ୍‌ରେ ଆଦ୍‌ନାନ୍‌ଙ୍କ ସହ ଅଦିତିଙ୍କ କେମିଷ୍ଟ୍ରି କମ୍ବିନେସନ୍ ଓ ଅଭିନୟରେ ଥିବା ସମାନ୍ତରାଳ ଦୃଶ୍ୟ ଦର୍ଶକେ କେମିତି ହଜମ କରିବେ ତାହା ଦେଖିବାର କଥା।

‘୧୦୦୧ ନାଇଟ୍‌ସ’ର ହିନ୍ଦୀ ରିମେକ୍‌ର ଶୀର୍ଷକ ରହିଛି ‘କଥା ଅନ୍‌କହି’। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି କି ଏଥିରେ ସଂଳାପର ମନୋରମ ସଂରଚନା ସହ ବିଚିତ୍ର ଚରିତ୍ରମାନଙ୍କୁ ଦେଖିବାକୁ ମିଳିବ। ଟେଲିଭିଜନ୍ ମାଧ୍ୟମରେ ବି ଏହା ବିଶ୍ବର ବହୁ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାକରାଯାଉଛି। ଏଇ ଟେଲି ସିରିଜ୍ ଅର୍ଥାତ୍ ‘କଥା ଅନକହି’ର ଟ୍ୟାଗ୍‌ଲାଇନ୍ ରହିଛି ‘ଇନ୍‌କୀ କହାନୀ ମେ ହୈ କସକ୍‌ ନଫ୍‌ରତ କୀ, ୟା କାଶିଶ୍ ପ୍ୟାର କୀ ? ଜାନିୟେ’। ତୁର୍କୀ ଭାଷାରେ ନିର୍ମିତ ଏହି ୱେବ୍ ସିରିଜ୍ ଏବେ ସୋନି ଟିଭିରେ ହିନ୍ଦୀ ଭାଷାରେ ଦେଖିବାକୁ ମିଳିବ।

ପୂର୍ବରୁ ୟେ ଯାଦୁ ହୈ ଜିନ୍‌ କା, ହିଟ୍ ମ୍ୟାନ୍ ଚାପ୍ଟର -୧, ପରା ହୁଁ ନା-୨ ଆଦି ମୁଭି ଜରିଆରେ ଅଦିତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାନ୍ନା ଆଣ୍ଡ ଲାୟର, ବ୍ଲାକ୍ ଆଣ୍ଡ ହ୍ବାଇଟ୍, ଓମ୍ ଶାନ୍ତି ଓମ୍, ଲେଡିଜ୍ ଭର୍ସେସ୍ ରିକ୍କି ବହଲ୍, ରିସ୍ତା ପ୍ୟାର କା, କୁଚ୍ଛ ଖଟା କୁଚ୍ଛ ମିଠା, ବବ୍‌ଲୁ, ଏକିସ୍ ତୋପୋଁ କୀ ସଲାମୀ, ଅଂଗ୍ରେଜ, ସୁବେଦାର ଯୋଗୀନ୍ଦର ସିଂହ, ନନ୍ କାନା, ଲଟୁ ଆଦି ସିନେମାରେ ଅଭିନୟ କରିଥିବା ଲକ୍ଷ୍ନୌ ଝିଅ ଅଦିତିଙ୍କ ଉପରେ ଏବେ ଦର୍ଶକଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର