କବାଲିରେ ନାଚିବେ ଅଦିତି-ମନୀଷା

‘ଗଙ୍ଗୁବାଇ କାଠିଆଵାଡ଼ି’ର ସଫଳତା ପରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ପ୍ରଥମ ଧାରାବାହିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହି େଵବ୍‌ ଧାରାବାହିକର ନାମ ହେଉଛି ‘ହୀରାମଣ୍ଡି’। ଏ ସମ୍ପର୍କରେ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏଥିରେ ସୋନାକ୍ଷୀ ସିହ୍ନା, ମନୀଷା କୋଇରାଲା, ଅଦିତି ରାଓ ହୈଦରୀ, ଋଚା ଚଡ୍‌ଢ଼ା, ଶର୍ମିନ ସେଗଲଙ୍କ ପରି ଅଭିନେତ୍ରୀଙ୍କୁ ଏକାଠି ଦେଖିବାକୁ ମିଳିବ। ନିର୍ଦେଶକ ସଞ୍ଜୟ ଖୁବ୍‌ ଶୀଘ୍ର ଅଦିତି ଓ ମନୀଷାଙ୍କୁ ନେଇ ଏକ କବାଲି ଗୀତର ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। ମୁମ୍ବାଇର ଏକ ଫିଲ୍ମ ଷ୍ଟୁଡିଓରେ ଦୀର୍ଘ ୧୦ ଦିନ ଧରି ଏହି ଗୋଟିଏ ଗୀତର ସୁଟିଂ ଚାଲିବ।

ଏହା ପୂର୍ବରୁ ଗତ ମାସରେ ସୋନାକ୍ଷୀ, ମନୀଷା, ଅଦିତି ଓ ଋଚାଙ୍କୁ ନେଇ ଅନ୍ୟ ଏକ ବ୍ୟୟବହୁଳ ନୃତ୍ୟଗୀତର ସୁଟିଂ ସରିଛି। ପୂର୍ବରୁ ଗଙ୍ଗୁବାଇ କାଠିଆଵାଡ଼ିର ‘ଢୋଲିଆ’ ଗୀତର କୋରିଓଗ୍ରାଫି କରିଥିବା କୃତୀ ମହେଶ ଏହି ଲୋକନୃତ୍ୟର କୋରିଓଗ୍ରାଫି କରିଛନ୍ତି। ଏହି ଧାରାବାହିକରେ ରେଖା ଓ ମୁମତାଜଙ୍କ ପରି କିଂବଦନ୍ତିମାନେ ମଧ୍ୟ ଅଭିନୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି, ଯଦିଓ ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ପ୍ରଘଟ କରାଯାଇନାହିଁ। ଏହା ଏକ ବେଶ୍ୟାଳୟରେ ତିନି ପିଢ଼ିର ପ୍ରେମ, ବିଶ୍ବାସଘାତକତା, ଉତ୍ତରାଧିକାର ଓ ରାଜନୀତି ସମ୍ବଳିତ ଏକ ରୋମାଞ୍ଚକର କାହାଣୀ ହେବ ବୋଲି ଏହାର ନିର୍ମାତା ପ୍ରକାଶ କରିଛନ୍ତି। ସ୍ବାଧୀନତା ପୂର୍ବବର୍ତ୍ତୀ କାଳରେ ଆଜିର ଲାହୋରରେ ଥିବା ହୀରାମଣ୍ଡି ବେଶ୍ୟାଳୟର ସାଂସ୍କୃତିକ ବାସ୍ତବତା ତଥା ବାରାଙ୍ଗନାମାନଙ୍କ କାହାଣୀକୁ ନେଇ ଏହି ଧାରାବାହିକ ଗତିଶୀଳ ହେବ। ଏଥିରେ ସଞ୍ଜୟଙ୍କ ଟ୍ରେଡ୍‌ମାର୍କ ରୂପେ ପରିଚିତ ବିଶାଳ ସେଟ୍, ସୁବିସ୍ତୃତ ନୃତ୍ୟଗୀତ ଏବଂ ବିବିଧ ଚରିତ୍ର ଆଦି ସବୁକିଛି ଦେଖିବାକୁ ମିଳିବ ବୋଲି କୁହାଯାଉଛି। ‘ହୀରାମଣ୍ଡି’ ତାଙ୍କ କ୍ୟାରିୟର୍‌ର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଏହାର ନିର୍ମାଣ ଆରମ୍ଭ ବେଳେ ସଞ୍ଜୟ ନିଜେ ପ୍ରକାଶ କରିଥିଲେ। ତେଣୁ ଏଥିପାଇଁ ସେ ଯେତିକି ଉତ୍ସାହିତ ସେତିକି ଉଦ୍‌ବିଗ୍ନ।

ସମ୍ବନ୍ଧିତ ଖବର