ମୁମ୍ବାଇ: 'ରବ୍ ସେ ହୈ ଦୁଆ', 'ୟେ ଜାଦୁ ହୈ ଜିନ୍ କା' ଏବଂ 'ଅପୋଲିନା' ଭଳି ଟିଭି ସୋ' ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଶର୍ମା ଏବେ ବିବାଦରେ। ବିବାହର ୪ମାସ ମଧ୍ୟରେ ନିଜ ସହ ଅଭିନେତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ଅଦିତିଙ୍କ ସ୍ବାମୀ ଅଭିନୀତ କୌଶିକ। ସେ ଦାବି କରିଛନ୍ତି ଯେ, ଅଦିତି ତାଙ୍କୁ ଗୁପ୍ତରେ ବିବାହ କରିଥିଲେ। ଏବେ ମାତ୍ର ଚାରି ମାସ ପରେ ସେ ଛାଡପତ୍ର ମାଗୁଛନ୍ତି। 'ଅପୋଲିନା'ରେ ଥିବା ତାଙ୍କ ସହ କଳାକାର ସାମର୍ଥ୍ୟଙ୍କୁ ସେ ଏବେ ଡେଟ୍ କରୁଛନ୍ତି।
ସ୍ବାମୀଙ୍କ ଏହି ଆରୋପ ପରେ ଏବେ ଅଦିତି ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, "ହଁ, ଏହା ଏକ ବ୍ୟକ୍ତିଗତ ଉତ୍ସବ ଥିଲା, କିନ୍ତୁ ଏହା ଗୁପ୍ତ ବିବାହ ନଥିଲା। ମୋ ପରିବାର, ମୋର ନିକଟତମ ବନ୍ଧୁ, ମୋର ସମ୍ପର୍କୀୟମାନେ ଏହା ବିଷୟରେ ଜାଣିଥିଲେ। ଏହା କୌଣସି ଗୁପ୍ତ କଥା ନଥିଲା, କିନ୍ତୁ ଏହା ବ୍ୟକ୍ତିଗତ ଥିଲା। ମୋର ଏକ ଭଲ କ୍ୟାରିଅର ଅଛି ଏବଂ ଆମେ ଭାବୁଥିଲୁ ଯେ ଏବେ ହଠାତ୍ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। କାରଣ ମୁଁ ସେତେବେଳେ ଅପୋଲେନାର ସୁଟିଂ କରୁଥିଲି ଏବଂ ସୋ'ରେ ମୋର ଚରିତ୍ରଟି ଜଣେ ୧୮ବର୍ଷୀୟା ଝିଅର ଥିଲା। ତେଣୁ ଆମେ ଦୁହେଁ ଏହାକୁ ସର୍ବସାଧାରଣରେ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ବିବାହ ପରେ ମୁଁ ବହୁତ ଖରାପ ବ୍ୟବହାର ଏବଂ ଅତ୍ୟାଚାରର ଶିକାର ହେଲି। ସେଥିପାଇଁ ମୁଁ ବହୁତ ଶାନ୍ତିପୂର୍ଣ୍ଣ ଭାବରେ ଅଲଗା ହେବାକୁ ଚାହୁଁଥିଲି। ଏବେ ଏହା ବିଷୟରେ ମୁଁ ପ୍ରକାଶ କରିପାରିବି ନାହିଁ। କାରଣ ଏହା କୋର୍ଟରେ ଆଗକୁ ବଢ଼ିବ।"
ସେ ଆହୁରି କହିଛନ୍ତି ଯେ, "ମୁଁ ଅଭିନୀତଙ୍କ ପରିବାରକୁ କେବେ ଅସମ୍ମାନ କରିନାହିଁ। ମୋ ଓକିଲମାନେ ମୋତେ ଏ ବିଷୟରେ ନ କହିବାକୁ କହିଛନ୍ତି। କିନ୍ତୁ, ଘରୋଇ ହିଂସା ମୋ ପକ୍ଷରୁ ହୋଇନଥିଲା। ମୁଁ କେବଳ ଏତିକି କହିପାରିବି। ଏହା ମୋ ପକ୍ଷରୁ ହୋଇନଥିଲା। ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି।"