ମୁମ୍ବାଇ: ମଡେଲ ତଥା ଯୁବ ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ ଗତ ସୋମବାର ତାଙ୍କ ଅନ୍ଧେରିସ୍ଥିତ ଆପାର୍ଟମେଣ୍ଟ ଗାଧୁଆ ଘରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଆଦିତ୍ୟଙ୍କ ମୃତ୍ୟୁ ଅତ୍ୟଧିକ ଡ୍ରଗ୍ସ ସେବନ କରି ହୋଇଛି ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ଖଣ୍ଡନ କରି ଆଦିତ୍ୟଙ୍କ ମୃତ୍ୟୁ ଗାଧୁଆ ଘରେ ପଡ଼ିଯିବାରୁ ହୋଇଛି ବୋଲି ବନ୍ଧୁ ଶୁବୁହି ଜୋଶୀ ଗତକାଲି ସୂଚନା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆଦିତ୍ୟଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। କିନ୍ତୁ ତାହାକୁ ଡାକ୍ତର ତାଙ୍କ ପାଖରେ ହିଁ ରଖିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ କରି ନାହାନ୍ତି। ବ୍ୟବଚ୍ଛେଦ ପରେ ଗତ ମଙ୍ଗଳବାର ଆଦିତ୍ୟଙ୍କ ମୃତଦେହକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ଯାଞ୍ଚ ସମୟରେ ଆଦିତ୍ୟଙ୍କ ଘରୁ କିଛି ଔଷଧ ମିଳିଛି। ଯାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ଗାଧୁଆ ଘରେ ଖସିଯିବା ହେତୁ ଅଭିନେତା ଆଦିତ୍ୟଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀରରେ ଦୁଇଟି ଆଘାତ ଲାଗିଛି। ଏହି ଦୁଇଟି ଆଘାତ ଆଦିତ୍ୟଙ୍କ ମୁଣ୍ଡ ଓ କାନରେ ଲାଗିଥିବା ଜଣାପଡ଼ିଛି। ଏହି ଆଘାତ ଆଦିତ୍ୟ ଗାଧୁଆଘରେ ପଡ଼ିଯିବା ହେତୁ ହୋଇଥାଏ ପାରେ ବୋଲି ଅନୁମାନ କରାଯାଇଛି।
ଏଥିସହିତ ମୃତ ଆଦିତ୍ୟଙ୍କ ସହାୟକ କହିଛନ୍ତି କି, ଆଦିତ୍ୟ ସିଂହ ରାଜପୁତଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ହେବ ଠିକ ନଥିଲା। ତାଙ୍କୁ ଜ୍ବର ଓ କାଶ ହେବା ସହିତ ବାନ୍ତି ବି ହେଉଥିଲା।