ମୋଟାପଣ ପାଇଁ ବସି ବସି ଶୋଉଥିଲେ ଅଦନାନ, ମାତ୍ର ୬ମାସ ବଞ୍ଚିବେ ବୋଲି କହିସାରିଥିଲେ ଡାକ୍ତର

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଅଦନାନ୍ ସାମି ତାଙ୍କର ସୁମଧୁର ସ୍ୱର ପାଇଁ ଜଣାଶୁଣା। ଯେତେବେଳେ ଅଦନାନ୍ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, ସେତେବେଳେ ସେ ବହୁତ ମୋଟା ଥିଲେ। ତାଙ୍କର ଓଜନ ୨୦୦କିଲୋରୁ ଅଧିକ ଥିଲା ଏବଂ ଏହି କାରଣରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ନିଜକୁ ଫିଟ୍ କରିବା ପାଇଁ ଅଦନାନ ପରେ ୧୬୦କିଲୋ ଓଜନ ହ୍ରାସ କରିଥିଲେ। ଏବେ ସେ ଫିଟ ହୋଇସାରିଥିବା ବେଳେ ମୋଟା ଥିବା ସମୟର କିଛି ଘଟଣା ସେୟାର କରିଛନ୍ତି। ଅଧିକ ଓଜନ ହେତୁ ଆଉ ମାତ୍ର ୬ମାସ ବଞ୍ଚିବ ବୋଲି ଡାକ୍ତର କହିସାରିଥିଲେ ବୋଲି କହିଛନ୍ତି ଅଦନାନ।

ସେ କହିଛନ୍ତି ଯେ, ମୋଟାପଣ ହେତୁ ମୋ ଜୀବନରେ ଏଭଳି ସମୟ ଆସିଥିଲା ଯେତେବେଳେ ମୁଁ ଶୋଇପାରୁନଥିଲି। ନିଦ ଲାଗିଲେ ମୋତେ ବସି ବସି ଶୋଇବାକୁ ପଡ଼ୁଥିଲା। ୨୦୦କିଲୋ ଓଜନ ପାଇଁ ମୁଁ ମୋ ଗୋଡ ଉଠାଇ ପାରୁନଥିଲି। ମୋତେ ଗାଡ଼ିରେ ବସାଇବାର ତାଲିମ ମୋ ଗାଡ଼ି ଡ୍ରାଇଭରଙ୍କୁ ଦିଆଯାଇଥିଲା। ଡ୍ରାଇଭରମାନେ ମୋ ଗୋଡ ଉଠାଇ ମୋତେ କାର ଭିତରେ ବସିବାରେ ସାହାଯ୍ୟ କରୁଥିଲେ। ମୋର ଏଭଳି ଅବସ୍ଥା ଦେଖି ଡାକ୍ତର କହିଥିଲେ, ୬ମାସ ଭିତରେ ତୁମେ କୌଣସି ହୋଟେଲ ରୁମରେ ମରି ପଡ଼ିଥିବ ଆଉ କେହି ଜାଣିପାରିବେ ନାହିଁ। ତାଙ୍କର ଏଭଳି କଥା ମୋ ମୁଣ୍ଡରେ ଘର କରିଦେଇଥିଲା। ସେ କଥା ମୁଁ ଭୁଲି ପାରିନଥିଲି। ଏହା ପରେ ମୁଁ ଓଜନ କମାଇବା ଆରମ୍ଭ କରିଥିଲି। ଏବେ ମୋର ଓଜନ ୭୫କିଲୋ ରହିଛି। ଖାଇବା ନିୟନ୍ତ୍ରଣ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର