ଏବେ କରଣ ଜୋହର ବି ଅଭିଷେକ-ଐଶ୍ବର୍ଯ୍ୟାଙ୍କ ରାସ୍ତା ଧରି ଅଦାଲତକୁ ଯାଇଛନ୍ତି। ତେବେ କୌଣସି ବିବାଦରେ ଫସି ନୁହେଁ, ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କରଣ। ତାଙ୍କ ନାମ ଓ ଫଟୋ ବ୍ୟବହାର କରାଯାଇ ବିନା ଅନୁମତିରେ ପ୍ରସ୍ତୁତ ହେଉଥିବା ବ୍ୟାବସାୟିକ ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ସାମଗ୍ରୀ ଉପରେ ରୋକ୍ ଲଗାଇବାକୁ ଏହି ପଦକ୍ଷେପ ନେଇଛନ୍ତି ସେ। ଅଦାଲତ ମାମଲାର ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ କରଣଙ୍କ ନାମ, ଫଟୋ ଓ ଦସ୍ତଖତ ଇତ୍ୟାଦି କେହି ତାଙ୍କ ଅନୁମତି ବିନା କୌଣସି ବିଜ୍ଞାପନ କିମ୍ବା ଅନ୍ୟ ସାମଗ୍ରୀରେ ବ୍ୟବହାର କରିପାରିବେ ନାହିଁ, ଏହା ତାଙ୍କର ବୃତ୍ତିଗତ ଜୀବନ ଉପରେ କୁପ୍ରଭାବ ପକାଉଛି।
ତେବେ କରଣଙ୍କ ପୂର୍ବରୁ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ମଧ୍ୟ ଏହିଭଳି ମାମଲା ଦାଏର କରି ନିଜ ସପକ୍ଷରେ ରାୟ ପାଇଛନ୍ତି। ଐଶ୍ବର୍ଯ୍ୟାଙ୍କ ମାମଲାରେ ଅଦାଲତ କହିଛନ୍ତି ଯେ ତାଙ୍କ ନାମ ଓ ଫଟୋ ବ୍ୟବହାର କରି ଟି-ସାର୍ଟ, ମଗ୍, ପୋଷ୍ଟର୍ ଓ କୌଣସି ଡିଜିଟାଲ୍ ସାମଗ୍ରୀ ପ୍ରସ୍ତୁତ ଓ ପ୍ରସାରଣ ହୋଇପାରିବ ନାହିଁ। ଏଥିସହ ଅଦାଲତ ଏଆଇ ବ୍ୟବହାର କରି ତାଙ୍କର ଡିପ୍ଫେକ୍, ଫେସ୍ ମର୍ଫିଙ୍ଗ୍ ପ୍ରସ୍ତୁତି ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଏହା ଐଶ୍ବର୍ଯ୍ୟାଙ୍କର ଭାବମୂର୍ତ୍ତି କ୍ଷୁଣ୍ଣ କରୁଛି ବୋଲି ରାୟରେ ଅଦାଲତ ଦର୍ଶାଇଛନ୍ତି। ବହୁ ୱେବ୍ସାଇଟ୍ ଓ ଡିଜିଟାଲ୍ ପ୍ଲାଟ୍ଫର୍ମରେ ଅନଧିକୃତ ଭାବେ ଅଭିଷେକ-ଐଶ୍ବର୍ଯ୍ୟାଙ୍କ ଫଟୋ ବ୍ୟବହାର ହେଉଛି ଏବଂ ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଏସବୁ ପ୍ଲାଟ୍ଫର୍ମକୁ ଏହା ପ୍ରତ୍ୟାହାର କରିବାକୁ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି ତିନି ତାରକାଙ୍କୁ ଦିଲ୍ଲୀ ହାଇକୋର୍ଟ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପ୍ରଦାନ କରିବା ପରେ ଲୋକପ୍ରିୟ ବଲିଉଡ୍ ତାରକାମାନେ ଏଭଳି ମାମଲା ଦାଏର କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜାଣିବାକୁ ମିଳିଛି।