୧୦ ବର୍ଷ ହେବ ଓଲିଉଡ୍‌ରେ ରାଜ୍‌ କରୁଥିବା ବାବୁସାନଙ୍କ ପରେ କିଏ ?

ତାଙ୍କ ପରେ ଆସିଥିବା କେହି ବି ଓଡ଼ିଆ ହିରୋ ବାବୁସାନଙ୍କୁ ଟକ୍କର ଦେବାକୁ ସକ୍ଷମ ହୋଇନାହାନ୍ତି

ଭୁବନେଶ୍ୱର (ଶିବଶଙ୍କର ଓଝା): ପ୍ରାୟ ଏକ ଦଶନ୍ଧି ଧରି ଓଲିଉଡରେ ନାୟକ ଭାବେ ସିଦ୍ଧାନ୍ତ ମହାପାତ୍ର ରାଜ୍‌ କରିଥିଲେ। ତାଙ୍କ ସହ ସମକକ୍ଷ ହେବା ଲାଗି କେତେଜଣ ନାୟକ ଓଲିଉଡରେ ଚେଷ୍ଟା କରି ବିଫଳ ହୋଇଥିଲେ। ସେମାନେ ସିଦ୍ଧାନ୍ତଙ୍କୁ ଟକ୍କର ବି ଦେଇପାରିନଥିଲେ। ୨୦୦୪ରେ ଅନୁଭବ ମହାନ୍ତି ‘ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେବା ପରେ ନାୟକ ସିଦ୍ଧାନ୍ତଙ୍କ ଯୁଗ ଶେଷର ଅୟମାରମ୍ଭ ହୋଇଥିଲା ବୋଲି କୁହାଯାଇପାରେ।
ଅନୁଭବଙ୍କ ପରେ ୨୦୦୬ରେ ଆଉ ଜଣେ ଦମ୍‌ଦାର୍‌ ହିରୋ ରୂପେ ଓଲିଉଡରେ ଉଭା ହେଲେ ଅରିନ୍ଦମ୍‌। ସେ ‘ପ୍ରେମ ଋତୁ’ ଆସିଲାରେ ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତା’ପରେ ସବ୍ୟସାଚୀ ଆସି ବି ଟପ୍‌ ହିରୋ ହେଲେ।
୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରୋମିଓ ଦ ଲଭର ବୟ’ ଜରିଆରେ ବାବୁସାନ୍‌ ଓଲିଉଡରେ ହିରୋଭାବେ ଏଣ୍ଟ୍ରି ନେଇଥିଲେ। ପ୍ରଥମ ଫିଲ୍ମରେ ଚର୍ଚ୍ଚା ସାଉଁଟିଥିବା ବାବୁସାନ୍‌ ଦ୍ୱିତୀୟ ଫିଲ୍ମ ‘ତୋ’ ଆଖିରେ ମୁଁ ’ ଜରିଆରେ ଷ୍ଟାର୍‌ ହୋଇଥିଲେ। ଆଉ ତା’ପରେ ସେ ପଛକୁ ଫେରି ଚାହିଁନାହାନ୍ତି। ଗତ ୧୦ ବର୍ଷ ହେବ ବାବୁସାନ୍‌ ଓଲିଉଡ୍‌ରେ ରାଜ୍‌ କରୁଛନ୍ତି। ପରଦା ଉପରେ ବାବୁସାନ୍‌ଙ୍କୁ ଟକ୍କର ଦେବା ଲାଗି ଅନୁଭବ,ସାବ୍ୟସାଚୀ ଓ ଅରିନ୍ଦମଙ୍କ ବ୍ୟତୀତ ଅନ୍ୟ କେହି ଏଯାଏଁ ନଜର ଆସି ନାହାନ୍ତି।
ବାବୁସାନ୍‌ଙ୍କ ପରେ ଓଲିଉଡକୁ ଆସିଛନ୍ତି ବେଶ୍‌ କେତେଜଣ ହିରୋ,କିନ୍ତୁ ସେମାନଙ୍କ ଭିତରୁ କେହି ତାଙ୍କ ପାଖାପାଖି ବି ହୋଇ ପାରିନାହାନ୍ତି। ଏବେ ବାବୁସାନଙ୍କ ପରେ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି ତିନିଜଣ ହିରୋ। ସେମାନେ ହେଲେ ଜ୍ୟୋତି,ସ୍ୱରାଜ ଓ ସମ୍ବିତ।


ଜ୍ୟୋତିଙ୍କୁ ଗତ ତିନିବର୍ଷ ହେବ ନିୟମିତ ବ୍ୟଧାନରେ ପରଦା ଉପରେ ଦେଖିବାକୁ ମିଳିଛି। ତାଙ୍କୁ ‘ଦେଲେ ଧରା କଥା ସରେ’ ଠୁଁ ଆରମ୍ଭ କରି ଏଯାଏଁ ଲଗାତର ଫିଲ୍ମ ମିଳୁଛି। ଏବେ ବି ତାଙ୍କ ହାତରେ ୪/୫ ଟା ଫିଲ୍ମ ଅଛି। ମାତ୍ର ତାଙ୍କ ଫ୍ୟାନ୍‌ ଫଲୋଅର୍‌ ବି ଅଛନ୍ତି କିନ୍ତୁ ବାବୁସାନଙ୍କ ଭଳି କ୍ରେଜ୍‌ ନାହିଁ। ସବୁଠୁଁ ବଡ଼ କଥା ହେଲା ଯେ ସେ ଅଭିନୟ କରୁଥିବା ଓଡ଼ିଆ ସିନେମାକୁ ଦର୍ଶକ ବା ସମୀକ୍ଷକ ‘ଏ’ ଗ୍ରେଡ୍‌ ଫିଲ୍ମ ବୋଲି ମନେ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସ୍ୱରାଜ ‘ତୁ ମୋ’ ଲଭ୍‌ ଷ୍ଟୋରି’ ଭଳି ବ୍ଲକବଷ୍ଟର ଫିଲ୍ମରେ ହିରୋ ଭାବେ କ୍ୟାରିଅର ଆରମ୍ଭ କଲେ,ମାତ୍ର ତା’ପରେ ତାଙ୍କର ଅନ୍ୟ ଫିଲ୍ମଗୁଡିକୁ ସେଭଳି ସଫଳତା ମିଳିନାହିଁ। ଏଦୃଷ୍ଟିରୁ ସେ ବି ବାବୁସାନ୍‌ଙ୍କଠାରୁ ଢେର ଦୂରରେ ଅଛନ୍ତି।


ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ସମ୍ବିତଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଛି। ସେ ନିୟମିତ ଫିଲ୍ମ କରୁଛନ୍ତି,ମାତ୍ର ,ଏ ଯାଏଁ ‘ଏ’ ଗ୍ରେଡ୍‌ ଷ୍ଟାରର ମାନ୍ୟତା ପାଇନାହାନ୍ତି।


ଅନ୍ୟ ଜଣାଶୁଣା ନାୟକମାନଙ୍କ ମଧ୍ୟରେ ଦୀପକ,ଅଭିଷେକ,ଅର୍ଦ୍ଧେନ୍ଦୁ ପ୍ରମୁଖ ତ ଏ ରେସରେ ନାହାଁନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବାବୁସାନଙ୍କୁ ଟକ୍କର ଦେବାକୁ ତାଙ୍କ ପରେ ଆସିଥିବା କେହି ବି ଓଡ଼ିଆ ହିରୋ ସକ୍ଷମ ହୋଇନାହାନ୍ତି। ଦେଖାଯାଉ, କେଉଁ ନୂଆ ହିରୋ ଆଗାମୀ ଦିନରେ ଆସୁଛନ୍ତି, ଯିଏ କି ବାବୁସାନଙ୍କୁ କଡ଼ା ଟକ୍କର ଦେବେ।

ସମ୍ବନ୍ଧିତ ଖବର