ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସନି ଦେଓଲଙ୍କ ଅଭିନୀତ ‘ଗଦର-୨’ ୩୦୦ କୋଟି ଟଙ୍କାର ରୋଜଗାର କରି ସାରିଲାଣି। ରିଲିଜ୍‌‌ ହେବା ଦିନଠାରୁ ସିନେମାଟି ଚର୍ଚ୍ଚାରେ ରହିଛି। ‘ଗଦର-୨’କୁ ମିଳିଥିବା ସଫଳତା ପରେ ସନି ଦେଓଲଙ୍କ ଚାହିଦା ବି ଢେର୍‌ ଅଧିକ ବଢ଼ିଯାଇଛି।

Advertisment

ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ସନି ‘ଗଦର-୨’ ପରେ ଏବେ ‘ବର୍ଡର-୨’ରେ ନଜର ଆସିବେ। ପିଙ୍କ୍‌ଭିଲାର ରିପୋର୍ଟ ମୁତାବକ, ‘ବର୍ଡର-୨’ରେ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ଦେଖାଯିବ।

ସନି ଦେଓଲ ଏବେ ସିନେ ନିର୍ମାତା ଜେପି ଦତ୍ତା ଏବଂ ତାଙ୍କ ଝିଅ ନିଧି ଦତ୍ତାଙ୍କ ସହ ହାତ ମିଳାଇବେ ବୋଲି ସୂଚନା ରହିଛି। ‘ବର୍ଡର’ ଫିଲ୍ମର ଏବେ ସିକ୍ବେଲ୍‌ ହେବ ବୋଲି ପୂରା ବନ୍ଦୋବସ୍ତ ହୋଇ ସାରିଛି।

ଯଦିଓ ‘ବର୍ଡର-୨’କୁ ନେଇ କୌଣସି ପ୍ରକାରର ଅ‌ାନୁଷ୍ଠାନିକ ଘୋଷଣା ହୋଇନାହିଁ, ହେଲେ ଜାଣିବାକୁ ମିଳିଛି ଯେ ଏହି ସିନେମାରେ ସନି ଦେଓଲଙ୍କ ବ୍ୟତୀତ ପୁରୁଣା ଅନ୍ୟ କଳାକାର ନଜର ଆସିବେନି। ଏଥିରେ ନୂଆ ନୂଆ କଳାକାର ସ୍ଥାନ ପାଇବେ।

୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ‘ବର୍ଡର’ରେ ଜ୍ୟାକି ଶ୍ରଫ୍‌, ସୁନୀଲ ସେଟ୍ଟୀ, ଅକ୍ଷୟ ଖାନ୍ନ‌ା, ସୁଦେଶ ବେରି, ପୁନିତ୍‌ ଇସାର୍‌ ଏବଂ କୁଳଭୂଷଣ ଖରବନ୍ଧା ନଜର ଆସିଥିଲେ। ‘ବର୍ଡର’ ସେ ସମୟର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ଥିଲା। ସେହି ଫିଲ୍ମ ପାଇଁ ନିର୍ମାତା ଜେପି ଦତ୍ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ବି କରାଯାଇଥିଲା। ସନିଙ୍କ ‘ଗଦର-୨’ର ସଫଳତ‌ା ପରେ ଏବେ ଦର୍ଶକ ନିଶ୍ଚୟ ‘ବର୍ଡର-୨’କୁ ଅପେକ୍ଷା କରି ରହିବେ।