ମୁମ୍ବାଇ: ‘ଆରଆରଆର’ ଚଳଚ୍ଚିତ୍ର ସହିତ ଦେଶ ତଥା ବିଶ୍ବବାସୀଙ୍କ ମନ କିଣିଥିବା ଅଭିନେତା ରାମଚରଣଙ୍କ ସହିତ ସମସ୍ତେ କାମ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ତାଙ୍କ ଚାହିଦା ବଢ଼ାଇ ଦେଇଛି। ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏହି ସୁଯୋଗ ମିଳିଛି। ଜାହ୍ନବୀ ଏବଂ ଜୁନିଅର ଏନଟିଆର ଫିଲ୍ମ ‘ଏନଟିଆର-୩୦’ ରେ ଏକାଠି କାମ କରୁଥିବା ବେଳେ ଏବେ ଜାହ୍ନବୀ ରାମଚରଣଙ୍କ ସହ କାମ କରିବେ। ‘ଏନଟିଆର-୩୦’ ଜରିଆରେ ସାଉଥ ଫିଲ୍ମରେ ଅଭିନେତ୍ରୀ ଡେବ୍ୟୁ କରିସାରିଥିବା ବେଳେ ରାମଚରଣଙ୍କ ସହ ଏହା ତାଙ୍କର ଦ୍ବିତୀୟ ତେଲୁଗୁ ଫିଲ୍ମ ହେବ।
ତେବେ ଜାହ୍ନବୀ ଓ ରାମଚରଣ ଏକ ପ୍ୟାନ ଇଣ୍ଡିଆନ୍ ଫିଲ୍ମରେ କାମ କରିବା ସହ ଏହାର ନିର୍ଦ୍ଦେଶନା ଦେବେ ସାନା ବୁଚ୍ଚି ବାବୁ। କୁହାଯାଉଛି ଯେ ଅନେକ ଅଭିନେତ୍ରୀଙ୍କୁ ଏହି ଫିଲ୍ମ ଅଫର କରାଯାଇଥିବା ବେଳେ ଶେଷରେ ଅଫରଟି ଜାହ୍ନବୀଙ୍କୁ ମିଳିଛି। ରାମଚରଣ ଏହି ଚଳଚ୍ଚିତ୍ରରେ ଡବଲ ରୋଲରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଜାହ୍ନବୀଙ୍କ ବ୍ୟତୀତ ମୃଣାଲ ଠାକୁର ଏହି ଫିଲ୍ମରେ ଅଭିନୟ କରିବେ ବୋଲି ସୂଚନା ରହିଛି।
ତେବେ ଜୁନିଅର ଏନଟିଆରଙ୍କ ସହ କାମ କରିବାର ସୁଯୋଗ ମିଳିବା ପରେ ଜାହ୍ନବୀ କହିଥିଲେ, ମୁଁ ଏନଟିଆର ସାରଙ୍କ ସହ କାମ କରିବା ପାଇଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରିଥିଲି। ମୁଁ ପ୍ରତ୍ୟେକ ସାକ୍ଷାତକାରରେ କହୁଥିଲି ଯେ ମୁଁ ଏନଟିଆର ସାରଙ୍କ ସହିତ କାମ କରିବାକୁ ଚାହୁଁଛି। ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ମୋତେ ଏଭଳି ସୁଯୋଗ ଦେଇଛି। ଭଗବାନ ମୋ କଥା ଶୁଣିଛନ୍ତି। ଫିଲ୍ମ ମିଳିବା ପରେ ଏବେ ସୁଟିଂ ଆରମ୍ଭ ହେବା ଦିନକୁ ମୁଁ ଅନାଇ ବସିଛି। ସୁଟିଂ ଶୀଘ୍ର ଆରମ୍ଭ କରିବାକୁ ମୁଁ ନିର୍ଦ୍ଦେଶକଙ୍କୁ ମେସେଜ ବି କରୁଛି। ‘ଆରଆରଆର’ ଚଳଚ୍ଚିତ୍ରରେ ଏନଟିଆର ସାରଙ୍କ ଚରିତ୍ର ମୋତେ ଖୁବ ପ୍ରଭାବିତ କରିଥିଲା। ଏହି ଫିଲ୍ମ ଦେଖିବା ପରେ ତାଙ୍କ ସହ କାମ କରିବାର ଇଚ୍ଛା ଆହୁରି ବଢ଼ିଯାଇଥିଲା।