ମୁମ୍ବାଇ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର କହିଛନ୍ତି, ସେମାନଙ୍କ ସରକାର ସଞ୍ଜୟ ଳୀଲା ଭଂସାଲୀ ପ୍ରଯୋଜିତ ବଲିଉଡ଼ ଫିଲ୍ମ ‘ପଦ୍ମାବତ୍’ର ରିଲିଜକୁ ଅନୁମତି ଦେବ ନାହିଁ। ପୂର୍ବରୁ ଏହି ଫିଲ୍ମର ରିଲିଜକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଷିଦ୍ଧ କରିଥିଲେ। ରାଜେ କହିଥିଲେ, ରାଜ୍ୟରେ ଥିବା ସିନେମା ଘର ଗୁଡ଼ିକରେ ଏହି ଫିଲ୍ମକୁ ରିଲିଜ କରାଯିବ ନାହିଁ। ‘ପଦ୍ମାବତ୍’ ଆଗାମୀ ଜାନୁଆରୀ ୨୫ରେ ରିଲିଜ ହେବ।
ଫିଲ୍ମର ନିଷେଧାଦେଶ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ଯାହା ନିଷ୍ପତ୍ତି ହୋଇଛି, ତାହା ହେବ। ଇତିମଧ୍ୟରେ ମୁମ୍ବାଇ ପୁଲିସ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିବା ଅଭିଯୋଗରେ ୯୬ଜଣ ଲୋକଙ୍କୁ ଅଟକ ରଖିଛି।
ମୁଳତଃ ‘ପଦ୍ମାବତୀ’ ଥିବା ‘ପଦ୍ମାବତ୍’ ୨୦୧୭ ଡିସେମ୍ବର ୧ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ଥିଲା। ଏହା ପରେ ରାଜପୁତ୍ କର୍ଣ୍ଣି ସେନା ନେତୃତ୍ୱରେ ରାଜପୁତ୍ ସମୂହ ଦ୍ୱାରା ବିଭିନ୍ନ ସମୟରେ ଫିଲ୍ମକୁ ବିରୋଧ କରାଯାଇଥିଲା। ପ୍ରସୂନ ଯୋଶୀଙ୍କ ତତ୍ୱାବଧାନରେ ସେନସର ବୋର୍ଡ ଐତିହାସିକମାନଙ୍କୁ ନେଇ ଏକ ପାନେଲ ଗଠନ କରିଥିଲେ। ପରେ ଫିଲ୍ମରେ ଆଂଶିକ ପରିବର୍ତ୍ତନ ଅଣାଯାଇଛି। ଫିଲ୍ମ ‘ପଦ୍ମାବତୀ’ରୁ ‘ପଦ୍ମାବତ୍’ ନାମକରଣ ହୋଇଛି।
ଦୀପିକା ପାଦୁକୋନ୍, ରଣବୀର ସିଂହ ଓ ସାହିଦ କପୁର ଅଭିନୀତ ଐତିହାସିକ କାହାଣୀକୁ ନେଇ ଫିଲ୍ମ ନିର୍ମିତ ହୋଇଛି। ୧୬ଶ ଶତାବ୍ଦୀରେ ମଲିକ ମହମ୍ମଦ ଜୈଶଙ୍କ ଦ୍ୱାରା ଲିଖିତ କବିତା ଉପରେ ଆଧାରିତ ଫିଲ୍ମ ‘ପଦ୍ମାବତ୍’ ତତ୍କାଳୀନ ଦିଲ୍ଲୀ ସୁଲତାନ୍ ଆଲାଉଦ୍ଦିନ୍ ଖିଲିଜୀ ଓ ଚିତୋର ରାଣୀ ପଦ୍ମିନୀଙ୍କୁ ନେଇ ନିର୍ମିତ ହୋଇଛି। ଫିଲ୍ମର କାହାଣୀରେ ସମ୍ମାନ ରକ୍ଷା ଲାଗି ରାଣୀ ପଦ୍ମିନୀଙ୍କ ଅାତ୍ମହତ୍ୟାକୁ ଉପସ୍ଥାପନ କରାଯାଇଛି।