ନୂଆଦିଲ୍ଲୀ: ସାମନ୍ଥାଙ୍କ ପରେ ଅଭିନୟରୁ ବିରତି ନେଲେ ତେଲୁଗୁ ଅଭିନେତା ସାଇ ଧରମ ତେଜ୍। ୨୦୨୧ମସିହାରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଅଭିନେତା। ଏବେ ତାଙ୍କର କିଛି ଜରୁରୀ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ଥିବାରୁ ସେ ୬ମାସ ପାଇଁ ଅଭିନୟରୁ ବିରତି ନେବେ। ୬ମାସ ପରେ ସେ ପୁଣି ଥରେ ଦୃଢ଼ ହୋଇ ଫେରିବେ ବୋଲି କହିଛନ୍ତି।
ବିରତି ନେବା ପୂର୍ବରୁ ସେ କହିଛନ୍ତି ଯେ, “ଦର୍ଶକଙ୍କଠାରୁ କୌଣସି ଅଭିଯୋଗ ଆସିବା ଉଚିତ୍ ନୁହେଁ। ମୋର ସମସ୍ତ ଚଳଚ୍ଚିତ୍ର ପାଇଁ ମୁଁ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ମୋତେ ଏକ ଛୋଟ ଅସ୍ତ୍ରୋପଚାର କରିବାକୁ ପଡିବ ଏବଂ ମୁଁ ଅଧିକ ଶକ୍ତିଶାଳୀ ହୋଇ ଫେରିବି। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ମୋତେ ବୋଧହୁଏ ପ୍ରାୟ ୬ମାସ ଆବଶ୍ୟକ ହେବ ବୋଲି ସାଇ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୦୨୧ରେ ହାଇଦ୍ରାବାଦରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଅଭିନେତା। ଏହା ପରେ ସେ କିଛି ମାସ ଧରି ଶଯ୍ୟାଶାୟୀ ଥିଲେ ଏବଂ ଦୀର୍ଘ ସମୟ ପାଇଁ କୋମାକୁ ମଧ୍ୟ ଚାଲିଯାଇଥିଲେ। ପରେ, ଯେତେବେଳେ ସେ ଏସଡିଟି୧୫ର ସେଟକୁ କାମ କରିବାକୁ ଫେରିଥିଲେ, ସେତେବେଳେ ଅଭିନେତା ଟ୍ୱିଟ୍ କରି କହିଥିଲେ ଯେ, “ଆଶ୍ଚର୍ଯ୍ୟଜନକ ସ୍ୱାଗତ ପାଇଁ ଟିମ୍ #ଏସଡିଟି୧୫କୁ ଧନ୍ୟବାଦ। ପୁନର୍ବାର ସେଟ୍କୁ ଫେରିବା ମୋ ପାଇଁ ଏତେ ରୋମାଞ୍ଚକର ଏବଂ ଭାବପ୍ରବଣ ଅଟେ ଏବଂ ତୁମେମାନେ ଏହାକୁ ତୁମର ଭଲପାଇବା ସହିତ ଆହୁରି ବଢ଼ାଇଛ।
ସାଇଙ୍କ ପୂର୍ବରୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସିଟାଡେଲ ଇଣ୍ଡିଆର ସୁଟିଂ ଶେଷ କରିବା ପରେ ଅଭିନୟରୁ ବିରତି ନେଉଥିବା କହିଥିଲେ। ସାମନ୍ଥା ଏବେ ମାୟୋସିଟିସରେ ଆକ୍ରାନ୍ତ ଥିବାରୁ ଏହାର ଚିକିତ୍ସା ପାଇଁ ସେ ବିରତି ନେଇଥିବା କୁହାଯାଉଛି।