ଧାରା ୩୭୦ ଉଚ୍ଛେଦ ଥିଲା ନିକଟ ଇତିହାସର ଏକ ଐତିହାସିକ ଘଟଣା। ତେଣୁ ବିଜ୍ଞ ସିନେମା ନିର୍ମାତାଙ୍କୁ ଏହା ଏକ ଲୋଭନୀୟ ବିଷୟବସ୍ତୁ ମନେ ହେବା ସ୍ବାଭାବିକ। ୨୦୧୯ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍‌’ର ନିର୍ଦେଶକ ଆଦିତ୍ୟ ଧର ଏହି ସିନେମାର ପ୍ରଯୋଜକ ଭାବେ ସେହି ସୁଯୋଗ ହାତେଇବାରେ ସଫଳ ହୋଇଛନ୍ତି। ପ୍ରଯୋଜକ ଆଦିତ୍ୟଙ୍କ କହିବା ଭଳି, ଏହା ହେଉଛି ଏକ ରାଜନୈତିକ ଚଳଚ୍ଚିତ୍ର। ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ଏହାର ମୁକ୍ତିଲାଭକୁ ସଂଯୋଗ କହି ଖାରଜ କରିଦେଇହେବ ନାହିଁ। ତେବେ ରାଜନୀତିରେ ବିଶେଷ ଆଗ୍ରହ ରଖୁନଥିବା ଦର୍ଶକକୁ ମଧ୍ୟ ଏହା ନିରାଶ କରିବ ନାହିଁ। ଜଟିଳ ଆପରାଧିକ ତଥା ନ୍ୟାୟିକ ଦିଗଗୁଡ଼ିକୁ ସରଳ ଢଙ୍ଗରେ ବୁଝାଇ ଏହାର କାହାଣୀ ଗତିଶୀଳ ହୋଇଛି। ଏହି ସରଳୀକରଣ ପ୍ରକ୍ରିୟାରେ ଅବଶ୍ୟ କାଶ୍ମୀର ସମସ୍ୟାର ଅବତାରଣା ଗୋଟିଏ ଦିଗକୁ ଅଧିକ ଢଳିଯାଇଛି। ସୌଭାଗ୍ୟକୁ ‘କାଶ୍ମୀର ଫାଇଲ୍‌ସ’ ପରି ‘‌େପ୍ର‌ାପାଗଣ୍ଡା’ ସିନେମାର କଳଙ୍କ ନ ଲାଗିବା ପାଇଁ ଏଥିରେ ଯଥାସମ୍ଭବ ଧ୍ୟାନ ଦିଆଯାଇଛି।

Advertisment

ସିନେମାଟି ୨୦୧୬ରୁ ୨୦୧୯ ମସିହା ମାତ୍ର ଚାରିବର୍ଷରେ ସୀମିତ। ତେଣୁ କାଶ୍ମୀରର ସମସ୍ୟା ତଥା ଉକ୍ତ ଐତିହାସିକ ପଦକ୍ଷେପ ପଛର ସୂକ୍ଷ୍ମ ତଥ୍ୟଗୁଡ଼ିକୁ ଚିତ୍ରନାଟ୍ୟରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। କ୍ଷମତାସଂପନ୍ନ ଅମଲାତନ୍ତ୍ରର ଅଳିନ୍ଦର କାର୍ଯ୍ୟ ପ୍ରକ୍ରିୟାକୁ ଖୁବ୍ ନିକଟରୁ ଦେଖିବା ଲାଗି ‘ଆର୍ଟିକଲ୍‌ ୩୭୦’କୁ ଏକ ଝରକା ବୋଲି କହିହେବ। ଏହାକୁ ସତ ଘଟଣା ଉପରେ ଆଧାରିତ ଏକ କାଳ୍ପନିକ ଚଳଚ୍ଚିତ୍ର ଭାବେ ନିର୍ମାଣ କରାଯାଇଥିଲେ ହେଁ ଏଥିରେ କାଶ୍ମୀର ପ୍ରସଙ୍ଗ ସହ ଜଡ଼ିତ ରାଜନେତା, ସାମ୍ବାଦିକ ଆଦିଙ୍କୁ ଚିହ୍ନିବାରେ ଦର୍ଶକଙ୍କୁ ସମସ୍ୟା ହେବ ନାହିଁ। ରୋଚକ ବିଷୟ ହେଲା ଏଥିରେ ପ୍ରମୁଖ ଭୂମିକାରେ ଥିବା ଦୁଇ ମହିଳା ଚରିତ୍ର ହେଉଛନ୍ତି କାଳ୍ପନିକ। ଆଉ ଯେଉଁ ଦୁଇଜଣ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ସେମାନେ ହେଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ରାମାୟଣରେ ରାମ ଭାବେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତେବେ ତାଙ୍କ ଅପେକ୍ଷା ଅମିତ ଶାହଙ୍କ ଭୂମିକାରେ ଅଭିନୟ କରିଥିବା କିରଣ କର୍ମାରକରଙ୍କ ପ୍ରଦର୍ଶନ ଅଧିକ ମନୋମୁଗ୍ଧକର ହୋଇଛି। ୟାମୀ ଗୌତମ ଜଣେ ଇଣ୍ଟେଲିଜେନ୍‌ସ ଅଧିକାରୀ ଓ ପ୍ରିୟାମଣି ଜଣେ ପିଏମ୍ଓ ଅଧିକାରୀ ଭାବେ ଦୁଇଟି ଶକ୍ତିଶାଳୀ ଚରିତ୍ରକୁ ପ୍ରଶଂସନୀୟ ଢଙ୍ଗରେ ନିର୍ବାହ କରିଛନ୍ତି। ଏହାର ଅନେକ ଶ୍ରେୟ ଯିବ ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କୁ। ଜାମ୍ମୁ କାଶ୍ମୀରର ଦୁଇ ନେତା ମେହବୁବା ମୁଫ୍‌ତି ଓ ଫାରୁକ ଅବଦୁଲ୍ଲାଙ୍କ ଚରିତ୍ରକୁ ହାସ୍ୟାସ୍ପଦ ଢଙ୍ଗରେ ଚିତ୍ରିତ କରାଯାଇଥିବାରୁ ସେଗୁଡ଼ିକ ସିନେମାର ସବୁଠାରୁ ଦୁର୍ବଳ ଦିଗ ବୋଲି କହିହେବ।

‘ଉରି’ ପରି ଏହି ଚଳଚ୍ଚିତ୍ରଟିକୁ ଅତ୍ୟନ୍ତ ପେସାଦାର ଢଙ୍ଗରେ ନିର୍ମାଣ କରାଯାଇଛି, ଯାହା ଫଳରେ ଚିତ୍ର ଓ ଶବ୍ଦର କୁହୁକରେ ଦର୍ଶକର ମନ ସହଜରେ ଦ୍ରବୀଭୂତ ହୋଇଯାଇଥାଏ। ପ୍ରଚ୍ଛଦ ସଂଗୀତ ଏହି ସିନେମାର ଅନ୍ୟତମ ବୈଶିଷ୍ଟ୍ୟ। ଅଳ୍ପ କେତେକ ଆକ୍ସନ୍‌ ଦୃଶ୍ୟ ଥିଲେ ହେଁ ସେଗୁଡ଼ିକ ମନରେ ପର୍ଯ୍ୟାପ୍ତ ରୋମାଞ୍ଚ ଓ ଶିହରଣ ଖେଳାଇବା ସୁନିଶ୍ଚିତ। ‘ଧାରା ୩୭୦’ ଇତିହାସର ଅଂଶ ହୋଇଯିବା ପରେ ଏହି ସଂଖ୍ୟା ଭବିଷ୍ୟତର ଆଉ ଏକ ବହୁପ୍ରଚାରିତ ମହତ୍ତ୍ବାକାଂକ୍ଷାର ପ୍ରତିନିଧିତ୍ବ କରୁଛି, ଯାହା ହେଲା ଆଗାମୀ ନିର୍ବାଚନରେ ବିଜେପିର ୩୭୦ଟି ଆସନ ଜିଣିବାର ଲକ୍ଷ୍ୟ।