ଦେଖିଲା ପରେ… ମନୋଜଙ୍କ ନୈରାଶ୍ୟଜନକ ଶତକ

ମନୋଜ ବାଜପେୟୀ ମୁଖ୍ୟତଃ ଦେଶୀ ଖଳନାୟକ ଚରିତ୍ରମାନଙ୍କ ଜରିଆରେ ଭାରତୀୟ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଶହେତମ ଚଳଚ୍ଚିତ୍ର ଭାବେ ‘ଭୈୟା ଜୀ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ବାଭାବିକ। ଏଥିରେ ସେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କ ଦକ୍ଷତାର ନୂଆ ଦିଗ କୌତୂହଳ ସୃଷ୍ଟି କରିବାକୁ ଯଥେଷ୍ଟ। ଏସବୁ ସତ୍ତ୍ବେ ‘ଭୈୟା ଜୀ’ର ଘଷରା କାହାଣୀ ଓ ଚିତ୍ରନାଟ୍ୟକୁ ମନୋଜଙ୍କ ଦକ୍ଷ ଉପସ୍ଥିତି ଉଦ୍ଧାର କରିପାରିନାହିଁ।
ଆରମ୍ଭରେ ରାମ ଚରଣ (ମନୋଜ ବାଜପେୟୀ)ଙ୍କୁ ଜଣେ ଶାନ୍ତିପ୍ରିୟ ପାରିବାରିକ ବ୍ୟକ୍ତି ଭାବେ ପ୍ରଦର୍ଶିତ କରାଯାଇଛି। ସେ ତାଙ୍କ ସାନ ଭାଇ ବେଦାନ୍ତର ସୁରକ୍ଷା ନେଇ ଅତ୍ୟନ୍ତ ଯତ୍ନଶୀଳ ତଥା ଚିନ୍ତିତ। ତେବେ ବେଦାନ୍ତ ଦିଲ୍ଲୀରୁ ବିହାରକୁ ଫେରିବା ବାଟରେ ସ୍ଥାନୀୟ ଗୁଣ୍ଡା ଅଭିମନ୍ୟୁ (ଯତୀନ ଗୋସ୍ବାମୀ) ଓ ପିତା ଚନ୍ଦ୍ରଭାନଙ୍କ ଦ୍ବାରା ନିର୍ମମ ହତ୍ୟାର ଶିକାର ହେଉଛନ୍ତି। ସାନଭାଇର ମୃତ୍ୟୁ ପରେ ରାମ ଚରଣ ନିଜେ ତାଙ୍କ ପରିବାରର ଇତିହାସ ସମ୍ପର୍କରେ ଦର୍ଶକଙ୍କୁ ସାମ୍ୟକ୍‌ ବର୍ଣ୍ଣନା ପ୍ରଦାନ କରିଛନ୍ତି। ସାନଭାଇ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ପାଇଁ ସେ ପୂର୍ବ ‘ଭୈୟା ଜୀ’ ଅବତାର ଗ୍ରହଣ କରିଛନ୍ତି, ଯାହାକୁ ସେ ତାଙ୍କ ପରଲୋକଗତ ପିତାଙ୍କ ଅନୁରୋଧକ୍ରମେ ଅତୀତରେ ତ୍ୟାଗ କରିଦେଇଥିଲେ। ‘ଭୈୟା ଜୀ’ ଚରିତ୍ରକୁ ‘ରବିନ୍‌ହୁଡ୍‌ର ବାପ’ ବୋଲି ବ୍ୟାଖ୍ୟା କରାଯାଇଥିଲେ ହେଁ ସେହି ବ୍ୟାଖ୍ୟାନକୁ ବିଶ୍ବସନୀୟ କରିବା ଭଳି ଯଥେଷ୍ଟ ମସଲା ନାହିଁ। ଭୈୟା ଜୀ ଫାଉଡ଼ା ଧରି ଘରୁ ବାହାରିଯିବା ମାତ୍ରେ ଗାଁ ଯାକର ଲୋକେ ତାଙ୍କ ସପକ୍ଷରେ ଲଢ଼ିବାକୁ ତୁରନ୍ତ ପ୍ରସ୍ତୁତ ହୋଇଯିବା ଘଟଣା ଆକାଶରୁ ଖସିପଡ଼ିଥିବା ଏକ ଦୃଶ୍ୟ ଭଳି ମନେ ହୁଏ। ପ୍ରଥମାର୍ଦ୍ଧରେ କେତେକ ରହସ୍ୟ ଉନ୍ମୋଚନ ହେବା ଆଶାରେ ଦର୍ଶକର ଆଗ୍ରହ ଉଜ୍ଜୀବିତ ରହେ। କିନ୍ତୁ ଦ୍ବିତୀୟାର୍ଦ୍ଧରେ ଆକ୍ସନ୍‌ ଦୃଶ୍ୟଗୁଡ଼ିକର ପ୍ରାବଲ୍ୟ ଏତେ ବଢ଼ିଯାଏ ଯେ ଆକ୍ସନ୍‌ପ୍ରିୟ ଦର୍ଶକଟିଏ ମଧ୍ୟ ନିଜର ଧୈର୍ଯ୍ୟର ପରୀକ୍ଷା ହେଉଥିବାର ଅନୁଭବ କରିବ।

‘ସତ୍ୟ’ ଓ ‘ଗ୍ୟାଙ୍ଗ୍‌ସ ଅଫ୍ ଵାସେପୁର’ ଚଳଚ୍ଚିତ୍ରରେ ଦୁଇଟି ଭିନ୍ନ ଭିନ୍ନ ଗ୍ୟାଙ୍ଗଷ୍ଟର୍‌ ଭୂମିକା ଅଭିନୟ କରି ମନୋଜ ଭାରତୀୟ ସିନେଜଗତ୍‌ରେ ଦୀର୍ଘସ୍ଥାୟୀ ଛାପ ଛାଡ଼ିବାରେ ସଫଳ ହୋଇଥିଲେ। ଦେଶୀ ଭାଷା ଓ ଠାଣି ଉପରେ ତାଙ୍କର ଆୟତ୍ତ ଖୁବ୍ କମ୍ ଅଭିନେତାଙ୍କ ପାଖରେ ଦେଖିବାକୁ ମିଳେ। ତିରିଶ ବର୍ଷର କ୍ୟାରିଅର୍‌ ଭିତରେ ସେ ଶହେଟି ସିନେମାରେ ଅଭିନୟ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତେବେ ନିର୍ଦେଶକ ଅପୂର୍ବ ତାଙ୍କୁ ତେଲୁଗୁ ଓ ତାମିଲ ସୁପର୍‌ଷ୍ଟାର୍‌ମାନଙ୍କ ପରି ଅତିରଞ୍ଜିତ ସଂଳାପ ଓ ଅବିଶ୍ବସନୀୟ ଆକ୍ସନ୍‌ର ଶରବ୍ୟ କରିଛନ୍ତି ଯାହା ତାଙ୍କ ବ୍ୟକ୍ତିତ୍ବ ସହିତ ଖାପ ଖାଇପାରୁନାହିଁ। ତେଣୁ ସଂଳାପଗୁଡ଼ିକ କ୍ରମେ ଫମ୍ଫା ମନେହେବାକୁ ଲାଗେ। ଏଥିରେ ଯେଉଁ କେତୋଟି ଭୋଜପୁରୀ ଗୀତ ଅଛି ସେଗୁଡ଼ିକରେ ଭୋଜପୁରୀ ଭାଷାର ରସିକତା ଅନୁପସ୍ଥିତ। ‘ଭୈୟା ଜୀ’ ହେଉଛି ନିର୍ଦ୍ଦେଶକ ଅପୂର୍ବ ସିଂହ କାର୍କୀଙ୍କ ଦ୍ବିତୀୟ ସିନେମା। ଗତ ବର୍ଷ ଓଟିଟିରେ ମୁକ୍ତିଲାଭ କରିଥିବା ‘ସିର୍ଫ ଏକ ବନ୍ଦା କାଫି ହୈ’ ସିନେମାରେ ମଧ୍ୟ ସେ ମନୋଜଙ୍କୁ ନେଇ ଏକ ପ୍ରଭାବଶାଳୀ କୋର୍ଟ ଡ୍ରାମା ନିର୍ମାଣ କରିଥିଲେ। ‘ଭୈୟା ଜୀ’ ତାଙ୍କ ତଥା ମନୋଜଙ୍କ ପୂର୍ବ କାମମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଧରଣର ହୋଇଥିବାରୁ ପରଦାରେ ତାହାର ସଠିକ୍ ପ୍ରତିଫଳନ କରାଇପାରିନାହାନ୍ତି। ତେଣୁ ମନୋଜ ବାଜପେୟୀଙ୍କ ଦୃଢ଼ ପ୍ରଶଂସକ ହୋଇନଥିଲେ ଆପଣ ଏହି ସିନେମାକୁ ଅଣଦେଖା କରିପାରନ୍ତି।

ସମ୍ବନ୍ଧିତ ଖବର