ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ପରେ ଏବେ ପଞ୍ଜାବୀ କଣ୍ଠଶିଳ୍ପୀ ମନକିର୍ତ ଅଲାଖଙ୍କ ପାଳି ! ସୁରକ୍ଷା ବୃଦ୍ଧି ପାଇଁ କଲେ ଦାବି

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ପରେ ବର୍ତ୍ତମାନ ଗ୍ୟାଙ୍ଗଷ୍ଟରଙ୍କ ଟା‌ର୍ଗେଟରେ ପଞ୍ଜାବୀ କଣ୍ଠଶିଳ୍ପୀ ମନକିର୍ତ ଅଲାଖ। ଜୀବନ ପ୍ରତି ବିପଦ ଥିବାରୁ ଏବେ ମନକିର୍ତ ଅଲାଖ ନିଜ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗତ ମାସରେ ବମ୍ବିହା ଗ୍ୟାଙ୍ଗ ପକ୍ଷରୁ ମନକିର୍ତଙ୍କୁ ହତ୍ୟା ଧମକ ମିଳିଥିଲା। ତେବେ ମନକିର୍ତଙ୍କ ଉପରେ ବି ମୁସେ ୱାଲାଙ୍କୁ ହତ୍ୟା କରିଥିବାର ଆରୋପ ଲଗାଯାଉଛି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ଦର୍ଶାଯାଇଛି ଯେ ମୁସେ ୱାଲାଙ୍କ ହତ୍ୟା ପଛରେ କଣ୍ଠଶିଳ୍ପୀ ମନକିର୍ତ ଅଲାଖଙ୍କ ହାତ ରହିଛି। ଏହା ମଧ୍ୟ ଦାବି କରାଯାଇଛି ଯେ ସମସ୍ତ କଣ୍ଠଶିଳ୍ପୀଙ୍କଠାରୁ ଟଙ୍କା ସଂଗ୍ରହ ପଛରେ ମନକିର୍ତଙ୍କ ହାତ ରହିଛି।

aajtak

ରବିବାର ସନ୍ଧ୍ୟାରେ ସିଦ୍ଧୁ ମୁସେ ୱାଲାଙ୍କୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଦବିନ୍ଦର ବମ୍ବିହାର ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ ଅପଲୋଡ କରାଯାଇଛି। ଏହି ପୋଷ୍ଟଟି ପଞ୍ଜାବୀରେ ଲେଖାଯାଇଛି। ପୋଷ୍ଟରେ ଏହା ଦାବି କରିଛି ଯେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କୁ, ମୁସେ ୱାଲାଙ୍କୁ ହତ୍ୟା କରିବାର ନଥିଲା। ବମ୍ବିହାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ କଣ୍ଠଶିଳ୍ପୀ ମନକିର୍ତ ଅଲାଖଙ୍କ ହାତ ରହିଛି ବୋଲି ଦର୍ଶାଯାଇଛି। ଏହା ସହ ସେ ସମସ୍ତ କଣ୍ଠଶିଳ୍ପୀଙ୍କଠାରୁ ଟଙ୍କା ଲୁଟୁଥିବା ନେଇ ମଧ୍ୟ ଦାବି କରାଯାଇଛି।

ଏହି ପୋଷ୍ଟରେ ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ କଣ୍ଠଶିଳ୍ପୀମାନଙ୍କର ସୁରକ୍ଷା ବ୍ୟବସ୍ଥା ବିଷୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମନକିର୍ତ ଅଲାଖ ସୂଚନା ଦେଇଥାନ୍ତି। ସିଦ୍ଧୁ ମୁସେ ୱାଲାଙ୍କର କୌଣସି ଗ୍ୟାଙ୍ଗଷ୍ଟରଙ୍କ ସହ କୌଣସି ସମ୍ପର୍କ ନଥିଲା। ସେ ତାଙ୍କର ସାଧାରଣ ଜୀବନ ବିତାଉଥିଲେ। ତଥାପି ତୁମେ ତାଙ୍କୁ ଆମ ଗୋଷ୍ଠୀରେ ଯୋଡୁଛ, ତା’ହେଲେ ଆମେ ନିଶ୍ଚିତ ଭାବରେ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ। ଏଭଳି ଧମକ ପରେ ଏବେ ନିଜ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛନ୍ତି ମନକିର୍ତ ଅଲାଖ।

ସମ୍ବନ୍ଧିତ ଖବର