ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲିଙ୍କ ଆଗାମୀ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ‘ହୀରାମଣ୍ଡି’ରେ କରିଥିବା କାମ ପାଇଁ ଅଭିନେତା ଶେଖର ସୁମନଙ୍କୁ ଖୁବ ପ୍ରଶଂସା କରାଯାଉଛି।
ଶେଖର ସୁମନ ତାଙ୍କ ଜୀବନରେ ବହୁ ସଫଳତା ପାଇବା ସହ ଅନେକ କଷ୍ଟ ସମୟ ଦେଇ ଗତି ବି କରିଛନ୍ତି। ଏହି କଷ୍ଟ ସମୟ ମଧ୍ୟରେ ଗୋଟିଏ ରହିଛି ତାଙ୍କର ୧୧ବର୍ଷ ପୁଅର ମୃତ୍ୟୁ ଘଟଣା।
ଶେଖର ଓ ତାଙ୍କ ସ୍ତ୍ରୀ ପୁଅ ଆୟୁଷଙ୍କ ମୃତ୍ୟୁପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ଶେଖର ତାଙ୍କର ପୁଅ ମୃତ୍ୟୁର ସେ କଷ୍ଟଦାୟକ ଦିନକୁ ମନେ ପକାଇ କହିଛନ୍ତି, ‘ମୋର ଦୁଇପୁଅ । ଆୟୁଷ ଓ ଅଧ୍ୟୟନ। ଆୟୁଷ ଏକ ବିରଳ ରୋଗରେ ପୀଡ଼ିତ ଥିଲା। ଯେଉଁ କାରଣରୁ ସେ ଆମ ସମସ୍ତଙ୍କୁ ମାତ୍ର ୧୧ବର୍ଷ ବୟସରେ ଛାଡ଼ି ଚାଲିଗଲା।
ଏମିତି ଏକ ରାତି ମୋ ଜୀବନରେ ଆସିଥିଲା ଯାହାକୁ ମୁଁ ମଲା ଯାଏଁ ଭୁଲି ପାରିବି ନାହିଁ। ସେଦିନ ରାତିରେ ପ୍ରବଳ ବର୍ଷା ହେଉଥାଏ। ପୁଅର ଶରୀର ଭଲ ନଥାଏ। ଏହି ସମୟରେ ଜଣେ ନିର୍ଦ୍ଦେଶକ ମୋର ପୁଅର ଦେହ ଭଲ ନଥିବା ଜାଣିବି ମୋତେ କାମ ପାଇଁ ଡାକିଥିଲେ। ମୁଁ ମନା କରି ଦେଇଥିଲି। କିନ୍ତୁ ସେ କହିଥିଲେ ମୁଁ ଯଦି ନଯିବି ତାଙ୍କର କ୍ଷତି ହେବ। ତେଣୁ ବାଧ୍ୟ ହୋଇ ଘରକୁ ବାହାରିଲି।
ଘରୁ ବାହାରିବା ସମୟରେ ପୁଅ ଆୟୁଷ ମୋତେ ଛାଡ଼ିବାକୁ ନରାଜ ଥିଲା କିନ୍ତୁ ମୁଁ ତାକୁ ଶୀଘ୍ର ଫେରି ଆସିବି ବୋଲି କଥା ଦେଇଥିଲି। ମୁଁ କାମ ସାରି ଶୀଘ୍ର ସିନା ଘରକୁ ଫରିଆସିଲି ସତ କିନ୍ତୁ ପୁଅ ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଥିଲା।
ଏହାପରଠାରୁ ଭଗବାନଙ୍କ ଉପରୁ କାହିଁକି କେଜାଣି ମୋର ବିଶ୍ବାସ ହଟି ଗଲା। ମନ୍ଦିର ଯିବା ବନ୍ଦ କରି ଦେବା ସହିତ ଘରେ ଥିବା ଭଗବାନଙ୍କ ସମସ୍ତ ଫଟୋ ଓ ମୂର୍ତ୍ତି ବାହାର କରି ଦେଇଥିଲି। କାରଣ ଭଗବାନ ନୀରିହ ଶିଶୁକୁ ମୋ ଠାରୁ ଛଡେଇ ନେଇଥିଲେ। ଯାହାକୁ ମୁଁ ସହି ପାରୁ ନାହିଁ।’