ଅଠର ବର୍ଷ ପୂବେ ଐଶ୍‌ଙ୍କ ପଛରେ ନାଚୁଥିବା ସାହିଦ ଏବେ ତାଙ୍କ ନାୟକ ଭୂମିକାରେ

ବଲିଉଡ୍‌ରେ ଆଜିକାଲି ନାୟକ-ନାୟିକାଙ୍କର ନୂଆ ନୂଆ ଯୋଡ଼ିକୁ ନେଇ ବହୁତ ପରୀକ୍ଷା ନିରୀକ୍ଷା କରା ଯାଉଛି। ମିଳିଥିବା ସୂଚନା ଅନୁସାରେ, ସୁଟିଂ ଆରମ୍ଭ ହେବାକୁ ଯାଉଥିବା ଏକ ଫିଲ୍ମରେ ଐଶ୍ୱର୍ଯ୍ୟ ରାୟ, ସାହିଦ୍‌ କପୁର୍‌ଙ୍କ ନାୟିକା ହେବାକୁ ଯାଉଛନ୍ତି। ଏ ଫିଲ୍ମଟି ହେଉଛି ପୁରୁଣା ହିଟ୍‌ ଫିଲ୍ମ ‘ଓ୍ଵ କୌନ୍‌ ଥି’ର ରି-ମେକ୍‌। ‘ଓ୍ଵ କୌନ୍‌ ଥି’ରେ ସାଧନା କରିଥିବା ଭୂମିକାରେ ଐଶ୍ୱର୍ଯ୍ୟା ଅଭିନୟ କରିବେ, ସାହିଦ୍‌ କରିବେ ମନୋଜ କୁମାରଙ୍କ ଭୂମିକା। ଏ ଫିଲ୍ମଟିକୁ ମନୋଜ କୁମାର ଓ ସାଧନାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ରୂପେ ତିଆରି କରାଯାଉଛି। ଏ ସଂପର୍କରେ ପ୍ରଯୋଜିକା ପ୍ରେରଣା ଅରୋରା କହିଛନ୍ତି, ‘‘ଓ୍ଵ କୌନ୍‌ ଥି’ର ନାୟିକା ବିମଳ ସୌନ୍ଦର୍ଯ୍ୟର ଅଧିକାରିଣୀ ହେବା ସହିତ ପ୍ରେମ ପାଇଁ ଅପେକ୍ଷା କରିଥିବା ଜଣେ ମହିଳା। ଏ ଭୂମିକା ପାଇଁ ଆମେ ସେମିତି ଜଣେ ଅଭିନେତ୍ରୀଙ୍କୁ ଚାହୁଥିଲୁ। ତା’ ଉପରକୁ ଲତା ମଙ୍ଗେସ୍‌କର୍‌ ଗାଇଥିବା ଚିରସ୍ମରଣୀୟ ‘ଲଗ୍‌ ଯା ଗଲେ…’ ଓ ‘ନୈନା ବର୍‌ଷେ ରିମ୍‌ଝିମ୍‌…’ ଗୀତ ବି ତାଙ୍କ ମୁହଁରେ ଖାପ ଖାଇବା ଆବଶ୍ୟକ ଥିଲା। ଏ ଫିଲ୍ମ ପାଇଁ ଆମେ ଐଶ୍‌ଙ୍କ ସହିତ ମାଧୁରୀ ଦୀକ୍ଷିତ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ନାଁ ମଧ୍ୟ ବିଚାରକୁ ନେଇଥିଲୁ। କିନ୍ତୁ ସାଧନାଙ୍କ ସହିତ ବ୍ୟକ୍ତିତ୍ୱରେ ସମାନତା ଥିବାରୁ ଶେଷରେ ଐଶ୍‌ଙ୍କୁ ନେବାଲାଗି ନିଷ୍ପତ୍ତି ହୋଇଥିଲା।’’

ସାହିଦ୍‌ ଏ ଫିଲ୍ମରେ ଐଶ୍‌ଙ୍କ ନାୟକ ଭୂମିକାରେ ଅଭିନୟ କରିବାକୁ ଯାଉଥିବାବେଳେ ଗୋଟିଏ ପୁରୁଣା କଥା ମନେ ପଡ଼ି ଯାଉଛି। ୧୯୯୯ ମସିହାରେ ଆସିଥିଲା ଐଶ୍‌ଙ୍କର ଏକ ଫିଲ୍ମ ‘ତାଲ୍‌’। ସେଥିରେ ଥିଲା ‘‘କହିଁ ଆଗ୍‌ ଲଗେ…’’ ବୋଲି ଗୀତଟିଏ, ଯେଉଁଥିରେ ଐଶ୍‌ ନୃତ୍ୟ କରିଥିଲେ। ସେହି ନୃତ୍ୟରେ ଥିବା ଅନେକ ଅନ୍ୟ ନର୍ତ୍ତକଙ୍କ ଭିତରୁ ଜଣେ ଥିଲେ ସାହିଦ୍‌। ସେତେବେଳକୁ ସେ ଅଭିନେତା ହୋଇ ନ ଥିଲେ। ତା’ର ୧୮ ବର୍ଷ ପରେ ସାହିଦ୍‌ ସେଇ ଐଶ୍‌ଙ୍କ ନାୟକ ହେବାକୁ ଯାଉଛନ୍ତି!

ସମ୍ବନ୍ଧିତ ଖବର