ଐଶ୍ବର୍ଯ୍ୟା ରାୟଙ୍କ ସହ କାମ କରିବା ନେଇ ଶାହରୁଖ୍‌ଙ୍କ ମନ ଊଣା

ଐଶ୍ବର୍ଯ୍ୟା ରାୟ ଓ ଶାହରୁଖ୍‌ ଖାନ୍‌ ଦୁଇଜଣ ବଲିଉଡ୍‌ର ଶୀର୍ଷ କଳାକାର। ତେବେ ଦୁହେଁ ମାତ୍ର ଅଳ୍ପ କିଛି ଚଳଚ୍ଚିତ୍ରରେ ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ଦୁହିଁଙ୍କ ମଧ୍ୟରେ ଯଦିଓ ପ୍ରେମକୁ ନେଇ ଚଳଚ୍ଚିତ୍ର ହୋଇଛି, ମାତ୍ର ତାହାର କେବେ ସୁଖଦ ଅନ୍ତ ହୋଇନାହିଁ। ଏକ ପୁରସ୍କାର କାର୍ଯ୍ୟକ୍ରମରେ ଖୋଦ୍‌ ଶାହରୁଖ୍‌ ଏ ସମ୍ପର୍କରେ ନିଜର ମତ ବୟାନ କରି ଦୁଃଖ ପ୍ରକାଶ କରିଥିଲେ। ସେ ସେଇ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କହିଥିଲେ, ମୁଁ ଯେତେବେଳେ ଐଶ୍ବର୍ଯ୍ୟାଙ୍କ ସହ ଅନ୍‌ସ୍କ୍ରିନ୍‌ କାମ ଆରମ୍ଭ କଲି ମୁଁ ଏତେ ହତଭାଗା ଯେ ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ସହ ପ୍ରଥମ ଚଳଚ୍ଚିତ୍ରରେ ଯାଁଳା ଭାଇର ଭୂମିକା ନିଭାଉଥିଲି। ଲୋକେ ବି ମତେ କହୁଥିଲେ, ମୁଁ କାଳେ ଐଶ୍ବର୍ଯ୍ୟାଙ୍କ ଭଳି ଦେଖାଯାଉଛି। ମୁଁ ଏବେ ବି ବୁଝିପାରୁନାହିଁ ଯଦି ମୁଁ ତାଙ୍କ ଭାଇ ଭୂମିକାରେ ଅଭିନୟ କରୁଥି‌ଲି ଅନ୍ତତଃ ମୁଁ ତ ତାଙ୍କ ଭଳି ଦେଖାଯାଉଥିବା କଥା ନା। ଏଥିସହ ସେ ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଦ୍ବିତୀୟ ଚଳଚ୍ଚିତ୍ର ବାବଦରେ ମତ ରଖି କହିଥିଲେ, ସଞ୍ଜୟ ଲୀଲା ଭଂସାଲିଙ୍କ ‘ଦେବଦାସ’ ଚଳଚ୍ଚିତ୍ରରେ ଦୁହେଁ ମୁଖ୍ୟ ଭୂମିକାରେ ଥିଲୁ। ତେବେ ଏକ ଦୃଶ୍ୟରେ ମୁଁ ତାଙ୍କୁ ଛାଡ଼ି ପଳେଇଥିଲି। ‌କିନ୍ତୁ ଯେବେ ମୁଁ ଫେରିଲି, ସେ ମତେ ଛାଡ଼ି ପଳେଇଥିଲେ। ‘ମୋହବତେଁ’ ଚଳଚ୍ଚିତ୍ର କଥା ମନେ ପକେଇ କହିଥିଲେ, ସେଇ ଚଳଚ୍ଚିତ୍ରରେ ସେ ଜଣେ ଭୂତୁଣୀ ଥିଲେ। ଐଶ୍ବର୍ଯ୍ୟାଙ୍କର ଏକ କ୍ଷୁଦ୍ର ଭୂମିକା ଥିଲା। ଶେଷ ଚଳଚ୍ଚିତ୍ରରେ ବି ‘ଏ ଦିଲ୍‌ ହୈ ମୁସ୍କିଲ୍‌’ରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ଶାହରୁଖ ସେଥିରେ ଜଣେ ଅତିଥି କଳାକାରର ଭୂମିକା ନିଭାଇଥିଲେ।

ସମ୍ବନ୍ଧିତ ଖବର