ମୁମ୍ବାଇ : ଶୁକ୍ରବାର ରିଲିଜ ହୋଇଛି ଫିଲ୍ମ ‘ଫନ୍ନେ ଖାନ୍’ । ଏଥିରେ ମୁଖ୍ୟ ଭୂମିକାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ଅନୀଲ କପୁର ଏବଂ ରାଜକୁମାର ରାଓଙ୍କୁ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ ପରେ ଦର୍ଶକମାନେ ଏହାକୁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି । ତେବେ କିଛି ଦିନ ତଳେ ଐଶ୍ୱର୍ଯ୍ୟା ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ବେଳେ ଘଟିଥିବା ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିିଓରେ ଦେଖିବାକୁ ମିଳୁଛି କି ତାଙ୍କୁ ପ୍ରମୋସନ ହେବାକୁ ଥିବା ସ୍ଥାନର ସଠିକ୍ ଠିକଣା ଦିଆ ଯାଇ ନଥିବାରୁ ସେ କ୍ରୋଧ ପ୍ରକାଶ କରୁଛନ୍ତି।
ସୂଚନା ମୁତାବକ, ନିଜ ଫିଲ୍ମର ପ୍ରମୋସନ ପାଇଁ ଐଶ୍ୱର୍ଯ୍ୟା ଏକ ଇଭେଣ୍ଟରେ ପହଞ୍ଚିଥିବା ବେଳେ ତାଙ୍କୁ କେହି ବି ସଠିକ୍ ଠିକଣା କହି ନଥିଲେ । ଐଶ୍ୱର୍ଯ୍ୟାଙ୍କ ସହ କେହି ନ ଥିବାରୁ ସେ କିଛି ସମୟ ସାମ୍ବାଦିକମାନଙ୍କ କ୍ୟାମେରା ଆଗରେ ପୋଜ ଦେଇଥିଲେ । କିନ୍ତୁ ଫଟୋ ଉଠାଇବା ପରେ ତାଙ୍କୁ ଆଗକୁ କେଉଁ ଆଡ଼କୁ ଯିବାକୁ ହେବ ସେ ନେଇ କେହି ବି କିଛି କହି ନ ଥିଲେ, ଯେଉଁଥି ପାଇଁ ଐଶ୍ୱର୍ଯ୍ୟା ରାଗି ଯାଇଥିଲେ ।