ମୁମ୍ବାଇ: ୧୯୯୯ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ହମ୍ ଦିଲ୍ ଦେ ଚୁକେ ସନମରେ ଏକାଠି କାମ କରିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିବା ଜଣାଯାଇଛି। ସେହି ସମୟରେ ସଲମାନ, ସୋମି ଅଲିଙ୍କ ସହ ସମ୍ପର୍କ ରଖିଥିଲେ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ  କିପରି ଐଶ୍ୱର୍ଯ୍ୟା ଏବଂ ସଲମାନ ପରସ୍ପରର ନିକଟତର ହେଲେ ତାହା ଜଣାଇଛନ୍ତି ସୋମି। 

Advertisment

ଟାଇମ୍ସ ନାଓକୁ ସାକ୍ଷାତକାର ଦେଇ ସୋମି କହିଛନ୍ତି, “ସଲମାନ ଓ ମୁଁ ପରସ୍ପରକୁ ଡେଟ୍ କରିବା ସହ ଏକାଠି ରହୁଥିଲୁ। ଗ୍ୟାଲେକ୍ସି ଆପର୍ଟମେଣ୍ଟ ତଳ ମହଲାରେ ଆମେ ଦୁହେଁ ଏକାଠି ରହୁଥିବା ବେଳେ ସଲମାନଙ୍କୁ 'ହମ 'ଦିଲ୍ ଦେ ଚୁକେ ସନମ' ଫିଲ୍ମ ଅଫର କରାଯାଇଥିଲା । ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ଉଭୟ ଐଶ୍ବର୍ଯ୍ୟା ଓ ସଲମାନ ପରସ୍ପରର ନିକଟତର ହେବା ସହ‌ ପ୍ରେମରେ ପଡ଼ିଥିଲେ। ସୁଟିଂ ବେଳେ ଯେତେବେଳେ ମୁଁ ସଲମାନଙ୍କୁ ଫୋନ କରେ ସେ ଫୋନ ଉଠାନ୍ତି ନାହିଁ। ଦିନେ ମୁଁ ଫୋନ କରିବାରୁ ସଞ୍ଜୟ ଲୀଲା ଭଂସାଲୀ ଫୋନ ଉଠାଇ କହିଥିଲେ, ସଲମାନ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଶୁଣି ମୁଁ ପଚାରିଥିଲି, ଆପଣ ନିର୍ଦ୍ଦେଶକ ‌ହୋଇ ବ୍ୟସ୍ତ ନାହାନ୍ତି କେମିତି? ଏହା ଶୁଣି ସେ କିଛି ଉତ୍ତର ରଖିପାରିନଥିଲେ। କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ଯେ, ମୋ ଅନୁପସ୍ଥିତିରେ ଐଶ୍ବର୍ଯ୍ୟା, ଗ୍ୟାଲେକ୍ସିରେ ଥିବା ଜିମକୁ ଆସୁଛନ୍ତି। ସଲମାନଙ୍କ ଗୃହ ସହାୟକ ମୋତେ ଏହି ସୂଚନା ଦେଇଥିଲେ। ଏ ବିଷୟରେ ଶୁଣିବା ପରେ ମୁଁ ଜାଣି ସାରିଥିଲି ଯେ, ସଲମାନ ଏବେ ଐଶ୍ବର୍ଯ୍ୟାଙ୍କ ପ୍ରେମରେ। ମୋତେ ଏବେ ସମ୍ପର୍କ ଭାଙ୍ଗିବାକୁ ହେବ।"

ସୋମିଙ୍କ ଏହି ଖୁଲାସା ଏବେ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ, ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ୨୦୦୨ରେ ବ୍ରେକଅପ୍ ହୋଇଥିଲେ ଏବଂ ଏହା ପରେ ଦୁହେଁ ଆଉ ଏକାଠି କାମ କରିନଥିଲେ।