ମାଧୁରୀ ଦୀକ୍ଷିତ ମନା କରିବାପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିଳିଛି ଏହି ସିନେମା!

ମୁମ୍ବାଇ: ଏବେ ଚର୍ଚ୍ଚା ହେଉଛି ଯେ ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ସିନେମାର ଟାଇଟଲ୍‌ ଏଯାବତ୍‌ ସ୍ଥିରୀକୃତ ହୋଇ ନଥିଲେ ହେଁ ଏହା ୧୯୬୭ ମସିହାରେ ରିଲିଜ୍‌ ହୋଇଥିବା ଏକ ସୁପରହିଟ୍‌ ଫିଲ୍ମ ‘ରାତ୍‌ ଔର୍‌ ଦିନ୍‌’ର ରିମେକ୍‌ ହେବ ବୋଲି କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟେନ୍‌ ବୋଷଙ୍କ ନିର୍ଦ୍ଦେଶିତ ‘ରାତ୍‌ ଔର୍‌ ଦିନ୍‌’ରେ ଉଚ୍ଚକୋଟିର ଅଭିନୟ କରି ନର୍ଗିସ୍‌ ଦତ୍ତ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ଏଥିରେ ନର୍ଗିସ୍‌ ବରୁଣା ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଭୂମିକା ନିଭାଇଥିଲେ, ଯିଏ କି ଶାରୀରିକ ଅକ୍ଷମତାର ଶିକାର ହୋଇଥିଲେ । ଏଥିରେ ପ୍ରଦୀପ କୁମାର, ଫିରୋଜ୍‌ ଖାନ୍‌ , କେ.ଏନ୍‌ ସିଂହ ଓ ଲୀଳା ମିଶ୍ର ପ୍ରମୁଖ ମଧ୍ୟ ଲିଡ୍‌ ରୋଲରେ ଥିଲେ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଉକ୍ତ ନାମକରଣ ହୋଇନଥିବା ସିନେମାରେ ବରୁଣା ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବେ ଏବଂ ଏହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି ।

image source-amarujala

ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହି ଭୂମିକା ଲାଗି ପ୍ରଥମେ ମାଧୁରୀ ଦୀକ୍ଷିତଙ୍କୁ ଅଫର୍‌ ଦିଆ ଯାଇଥିଲା, ମାତ୍ର ସେ ପ୍ରତ୍ୟାଖ୍ୟାନ କରିବା ପରେ ତାହା ଐଶ୍ୱର୍ଯ୍ୟାଙ୍କୁ ମିଳିଛି । ତେବେ ଏହି ଅନଟାଇଟଲଡ ସିନେମାରେ କିଏ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିପକ୍ଷରେ ନାୟକ ହେବେ ତାହା ଏଯାବତ୍‌ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର