ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡରେ ‘ଔର ପ୍ୟାର୍ ହୋଗୟା’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଏହାପରେ ଆଉ ପଛକୁ ନ ଚାହିଁ ଲଗାତାର ସିନେମାରେ ନାୟିକାଭାବେ ନଜର ଆସୁଛନ୍ତି। ସଂପ୍ରତି ‘ ଫନ୍ନେଖାନ୍’ ଟାଇଟଲରେ ନିର୍ମିତ ଏକ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଏଥିରେ ସେ ପ୍ରଥମ ଅନୀଲ ପୁରଙ୍କ ସହ ବେଶ କିଛି ବର୍ଷ ବ୍ୟବଧାନରେ କାମ କରୁଛନ୍ତି । ଏହି ସିନେମାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଥର ପାଇଁ ପ୍ରତିଭାବାନ ଅଭିନେତା ରାଜ କୁମାର ରାଓଙ୍କ ବିପକ୍ଷରେ ନଜର ଆସିବେ । ଏଥିରେ ଦିବ୍ୟା ଦତ୍ତା ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ‘ ଫନେ ଖାନ୍’ ର ନିର୍ଦ୍ଦେଶନା ଦେଉଛନ୍ତି ଅତୁଲ ମଞ୍ଜରେକର ।
ଏବେ ଚର୍ଚ୍ଚା ହେଉଛି ଯେ ଐଶ୍ୱର୍ଯ୍ୟା ଆଉ ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ସିନେମାର ଟାଇଟଲ୍ ଏଯାବତ୍ ସ୍ଥିରୀକୃତ ହୋଇ ନଥିଲେ ହେଁ ଏହା ୧୯୬୭ ମସିହାରେ ରିଲିଜ୍ ହୋଇଥିବା ଏକ ସୁପର ହିଟ୍ ଫିଲ୍ମ ‘ ରାତ୍ ଔର୍ ଦିନ୍’ର ରିମେକ୍ ହେବ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟେନ୍ ବୋଷଙ୍କ ନିର୍ଦ୍ଦେଶିତ ‘ ରାତ୍ ଔର୍ ଦିନ୍’ ରେ ଉଚ୍ଚକୋଟିର ଅଭିନୟ କରି ନର୍ଗିସ୍ ଦତ୍ତ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ଏଥିରେ ନର୍ଗିସ୍ ବରୁଣା ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଭୂମିକା ନିଭାଇଥିଲେ, ଯିଏ କି ଶାରୀରିକ ଅକ୍ଷମତାର ଶିକାର ହୋଇଥିଲେ । ଏଥିରେ ପ୍ରଦୀପ କୁମାର, ଫିରୋଜ୍ ଖାନ୍ , କେ.ଏନ୍ ସିଂହ ଓ ଲୀଳା ମିଶ୍ର ପ୍ରମୁଖ ମଧ୍ୟ ଲିଡ୍ ରୋଲରେ ଥିଲେ ।
ଜଣେ ନାମୀ ଦାମୀ ନାୟିକା ଭାବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୂଳରୁ ପରିଚିତା। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାଇସ୍ରେ କଂପ୍ରୋମାଇଜ୍ କରୁଥିଲେ, ହେଲେ ଏବେ ତାହା କରୁ ନଥିବା କୁହାଯାଉଛି । ‘ ଏ ଦିଲ୍ ହେ ମୁସ୍କିଲ୍ ’, ହିଟ୍ ହେବା ପର ଠୁଁ ଐଶ୍ୱର୍ଯ୍ୟା ୧୦ କୋଟି ଟଙ୍କା ନେଉଛନ୍ତି । ସେ ନିକଟରେ ‘ ଦିନ୍ ଔର୍ ରାତ୍ ’ ର ରିମେକ୍ ପାଇଁ ୧୦ କୋଟି ନେଇଥିବା କୁହାଯାଉଛି । ଯଦି ତାହା ସତ ହୁଏ ତେବେ କୌଣସି ବିବାହିତା ନାୟିକାଙ୍କ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ପାରିଶ୍ରମିକ ବୋଲି କୁହାଯିବ।