ମୁମ୍ବାଇ: ବଲିଉଡ୍ ସୁପର୍ଷ୍ଟାର୍ ଅଜୟ ଦେବଗନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୋଲା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି କ୍ରମରେ ଅମିତାଭ ବଚ୍ଚନ ହାଇଦ୍ରାବାଦରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ସୁଟିଙ୍ଗ୍ ସମୟରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।
ଅମିତାଭ ‘ବ୍ଲଗ୍’ରେ ତାଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତ ସୂଚନା ଦେଇଥିଲେ। ଅମିତାଭ ଏଥିରେ ଲେଖିଥିଲେ ଯେ, ଫାଇଟିଙ୍ଗ୍ ଦୃଶ୍ୟ ଉତ୍ତୋଳନ ବେଳେ ତାଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି। ସେ ସୁସ୍ଥ ହେବା ପାଇଁ ଦୁଇ ସପ୍ତାହ ଲାଗିବ। ତେଣୁ, ଚଳଚ୍ଚିତ୍ର ସୁଟିଙ୍ଗ୍ ବାତିଲ କରାଯାଇଛି।’
ଏହାକୁ ନେଇ ଅଜୟ ଦେବଗନ କହିଛନ୍ତି, ‘ଅମିତାଭ ସାରଙ୍କ ସ୍ବଭାବ ହିଁ ସେଭଳି। ଯେତେକଷ୍ଟ ହେଉ ଯେଉଁ ସିନ ଜୀବନ୍ତ ଲାଗିବ ତାହାକୁ ସେ କରିଥାଆନ୍ତି। ୧୯୯୮ ମସିହାରେ ରିଲିଜ ହୋଇଥିବା ସିନେମା ‘ମେଜର ସାବ’ର ସୁଟିଂ ସମୟରେ ଅମିତାଭ ତୃତୀୟ ମହଲାରୁ ଡେଇଁ ଆକସନ ସିନ କରିବାକୁ ରାଜି ହୋଇଯାଇଥିଲେ। କିନ୍ତୁ ମୁଁ ତାଙ୍କୁ ଏପରି କରିବାକୁ ବାରଣ କରି କହିଥିଲି, ସାର ଏହି ଆକସନ ସିନକୁ ନକଲି ଭାବେ କରିଦେବା। ସେ କିନ୍ତୁ ରାଜି ହୋଇ ନଥିଲେ। ଦୁହେଁ ତୃତୀୟ ମହଲାରୁ ଡେଇଁଥିଲୁ, ଆଉ ଆହତ ବି ହୋଇଥିଲୁ। ଏହାକୁ ହିଁ ତ କୁହାଯାଇଥାଏ ଉତ୍ସାହ।’
୨୦୧୮ରେ ବି ସିନେମା ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ରେ ଫାଇଟିଙ୍ଗ୍ ଦୃଶ୍ୟ ଉତ୍ତୋଳନ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା
ତେବେ ଏହା ପ୍ରଥମର ନୁହେଁ, ଏହା ପୂର୍ବରୁ ବି ଅମିତାଭ ବଚ୍ଚନ ସିନେମା ସୁଟିଂ ସେଟରେ ଗୁରୁତର ଆହତ ହୋଇଥିଲେ। ସିନେମା ‘କୁଲି’ର ସେଟରେ ହୋଇଥିବା ଦୁର୍ଘଟଣାକୁ କିଏ ବା ଭୁଲି ପାରିବ। ଅଭିତାଭ ବଚ୍ଚନ ଏହି ସେଟରେ ଗୁରୁତର ଆହତ ହୋଇ ଅନେକ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଯେତେବେଳେ ସେ ସୁସ୍ଥ ହୋଇଥିଲେ ପୁର୍ନଜନ୍ମ ପାଇଛନ୍ତି ବୋଲି କହିଥିଲେ। ଏଥିସହିତ ଆଶୁ ଆରୋଗ୍ୟ କାମନା କରିଥିବାରୁ ଡାକ୍ତର ଓ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।