ପରଲୋକରେ ନିର୍ଦ୍ଦେଶକ ଭାଇ ଅନିଲ୍‌ ଦେବଗନ, ଟ୍ବିଟ୍‌ କରି ଶୋକ ପ୍ରକାଶ କଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନ ଅକ୍ଟୋବର ୫, ୨୦୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ଅଜୟ ତାଙ୍କ ଭାଇଙ୍କ ଦେହାନ୍ତରେ ସୋସିଆଲ୍‌ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଅନିଲ ଦେବଗନ ପ୍ରେମ ପ୍ରକାଶ ଦେବଗନଙ୍କ ପୁଅ ଏବଂ ଅଜୟ ଦେବଗନଙ୍କ ସମ୍ପର୍କୀୟ ଭାଇ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ବୟସ ହୋଇଥିଲା।

ଅଜୟ ତାଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ଲେଖିଛନ୍ତି, ‘ମୁଁ ଗତ ରାତିରେ ମୋର ଭାଇ ଅନିଲ  ଦେବଗନଙ୍କୁ ହରାଇଛି। ତାଙ୍କର ଅକାଳ ବିୟୋଗ ଆମ ପରିବାରର ସମସ୍ତଙ୍କ ହୃଦୟକୁ ଭାଙ୍ଗି ଦେଇଛି। ମୁଁ ତାଙ୍କ ଉପସ୍ଥିତିକୁ ସଦା ମନେ ପକାଇବି। ତାଙ୍କ ଆତ୍ମାର ସଦ୍‌ଗଦି ପାଇଁ ପ୍ରାର୍ଥନା କରନ୍ତୁ। ମହାମାରୀ ହେତୁ ଆମର ବ୍ୟକ୍ତିଗତ ପ୍ରାର୍ଥନା ସଭା ହେବ ନାହିଁ।’

ଅଜୟ ଏହି ଖବରକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ମାତ୍ରେ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ସହକର୍ମୀମାନେ ସମବେଦନା ଜଣାଇବା ଆରମ୍ଭ କରିଛନ୍ତି। ଅଭିଷେକ ବଚ୍ଚନ, କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ପ୍ରମୁଖ ଅନୀଲ ଦେବଗନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ଅଜୟ ଦେବଗନଙ୍କ ଅଭିନୀତ ‘ରାଜୁ ଚାଚା’ ଏବଂ ‘ବ୍ଲାକମେଲ’ର ନିର୍ଦ୍ଦେଶନା‌ ଦେଇଥିଲେ ଅନିଲ ଦେବଗନ। ଅନିଲ ପ୍ରଥମେ ୧୯୯୬ ମସିହାରେ ‘ଜିତ୍‌’ରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ୨୦୧୨ରେ ଅଜୟ ଦେବଗନ୍ ଏବଂ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ସନ୍ ଅଫ୍ ସର୍ଦ୍ଦାର’ ଚଳଚ୍ଚିତ୍ରର କ୍ରିଏଟିଭ୍ ଡାଇରେକ୍ଟର ଥିଲେ।

ସମ୍ବନ୍ଧିତ ଖବର