ସ୍ବୟଂବର ଜିତିବା ପରେ ବି ମିକାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଆକାଂକ୍ଷା

ମୁମ୍ବାଇ: ଉପଯୁକ୍ତ ଜୀବନସାଥୀ ସନ୍ଧାନରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ମିକା ସିଂହ ସ୍ବୟଂବର ଆୟୋଜନ କରିଥିଲେ। ‘ସ୍ବୟଂବର: ମିକା ଦି ବୋଟି’ ନାମରେ ଏହି ଉତ୍କଣ୍ଠାପୂର୍ଣ୍ଣ କାର୍ଯ୍ୟକ୍ରମଟି ଜାତୀୟ ଟେଲିଭିଜନ୍‌ରେ ଦୁଇମାସ ହେଲା ପ୍ରସାରିତ ହୋଇଥିଲା। ଏହାର ଶେଷ ଅଧ୍ୟାୟରେ ଅଭିନେତ୍ରୀ-ମଡେଲ୍‌ ଆକାଂକ୍ଷା ପୁରୀ ମିକାଙ୍କ ହୃଦୟ ଜିଣିନେଇ ବିଜେତ୍ରୀ ଘୋଷିତ ହୋଇଥିଲେ। ମିକାଙ୍କୁ ବିବାହ କରିବାକୁ ଚାହୁଥିବା ଅନେକ ମହିଳାଙ୍କ ମଧ୍ୟରୁ ମିକା ତିନି ଜଣଙ୍କୁ ଶେଷ ପର୍ଯ୍ୟାୟ ପାଇଁ ବାଛିଥିଲେ। ସେମାନେ ଥିଲେ ପ୍ରନ୍ତିକା ଦାସ, ନୀତ ମହାଲ ଓ ୱାଇଲ୍ଡ କାର୍ଡ ଯୋଗେ ପ୍ରବେଶ କରିଥିବା ଆକାଂକ୍ଷା। ତିନିହେଁ ମିକାଙ୍କର ପ୍ରିୟ ଥିଲେ। ତେବେ ଆକାଂକ୍ଷାଙ୍କ ସହିତ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ରହିଆସିଥିବା ଘନିଷ୍ଠ ବନ୍ଧୁତ୍ବକୁ ମିକା ଦାମ୍ପତ୍ୟ ରୂପ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ।

ତେବେ ସୋ’ ଜିତିବା ପରେ ବି ଆକାଂକ୍ଷା ପୁରୀ ମିକାଙ୍କୁ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଆକାଂକ୍ଷା ପୁରୀ କହିଛନ୍ତି ଯେ, ସ୍ବୟଂବର ପରେ ବି ମିକାଙ୍କ ସହ ମୋର ସମ୍ପର୍କ ପୂର୍ବ ଭଳି ରହିଛି। ବିବାହ କଥା ପଚରାଯିବା ପରେ ଦୁହେଁ କାମରେ ବ୍ୟସ୍ତ ଅଛୁ ବୋଲି କହିଥିଲେ ଆକାଂକ୍ଷା । ଏକ ସାଥୀ ବାଛିବା ପାଇଁ ସ୍ବୟଂବର କରାଯାଇଥିଲା। ଆମେ ପ୍ରାୟ ଏକ ଦଶନ୍ଧି ଧରି ପରସ୍ପରକୁ ଜାଣିଛୁ, ତେଣୁ ଆମେ ଏକତ୍ର ସୋ’ ରେ ଆଗକୁ ଯିବାକୁ ସ୍ଥିର କରିଥିଲୁ। ଆମେ କଦାପି କହି ନାହୁଁ ଯେ ଆମେ ପ୍ରେମରେ ଅଛୁ। ଦୁହେଁ ଭଲ ବନ୍ଧୁ ଥିଲୁ ଏବଂ ଏବେ ବି ଅଛୁ। ଏବେ ଆମେ କାମରେ ବ୍ୟସ୍ତ ଅଛୁ। ସେଥିପାଇଁ ଏବେ ବିବାହ କରିବା ବିଷୟରେ ଚିନ୍ତା କରିନାହୁଁ।

ସମ୍ବନ୍ଧିତ ଖବର