ଭୁବନେଶ୍ବର: କଳା ରାଜନୀତିର ଊର୍ଦ୍ଧ୍ବରେ। ଏକଥା ପ୍ରମାଣିତ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହାବାହୁ’। ନିର୍ଦ୍ଦେଶକ ବିଜେପିର ନେତା ହୋଇଥିବା ବେଳେ  ମୁଖ୍ୟଅଭିନେତା ବିଜେଡି ନେତା। କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଛବିରେ ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ବିଜୁ ଜନତା ଦଳର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ।

Advertisment

ମନୋରଂଜନର ଭରପୂର ଖୋରାକ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଜଣେ ଓଡ଼ିଆ ଯୁବକର ଆଧ୍ୟାତ୍ମିକ ବିଶ୍ବାସ ଏବଂ ଜଗନ୍ନାଥଙ୍କ ମହିମା ପ୍ରତିଫଳିତ ହେଇଛି ଏହାର କାହାଣୀରେ। ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ମହାବାହୁ’। ଜଣେ ସଫଳ ଯୁବ ବ୍ୟବସାୟୀ ସମୟଚକ୍ରରେ ପଡ଼ି କିଭଳି ନାସ୍ତିକ ହେଇଯାଇଛି। ସମୟାନ୍ତରରେ ଶ୍ରୀଜଗନ୍ନାଥଙ୍କ ଡୋରି ଲାଗୁଛି। ତା’ ଭିତରେ ଭକ୍ତିଭାବ ଉଦୟ ହେଉଛି ଏବଂ ଶ୍ରୀଜଗନ୍ନାଥଙ୍କ ଶରଣାଗତ ହେବା ପରେ ତା’ଜୀବନ ଯାତ୍ରା ପୁଣି ଉଜ୍ଜ୍ବଳ ହେଇଉଠୁଛି। ଏକ ମୌଳିକ କାହାଣୀ ଯାହା ରଚନା କରିବାକୁ ଅନ୍ୟୂନ ଛ’ମାସ ସମୟ ଲାଗିଛି।

publive-image

ସବ୍ୟସାଚି ମହାପାତ୍ରଙ୍କ ନିର୍ଦ୍ଦେଶିତ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଶ୍ରୀଜଗନ୍ନାଥ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ଶ୍ରୀତମ ଦାସ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତ କରିବା ସହ ସଂଳାପ ରଚନା କରିଛନ୍ତି ଶରଣାରବିନ୍ଦ ଓଝା। ‘ମହାବାହୁ’ଙ୍କ ସହ ଯାହାଙ୍କର ନିବିଡ଼ ସମ୍ପର୍କ ଗଢ଼ିଉଠିଛି ଏବଂ ଦର୍ଶକଙ୍କ ପାଇଁ ଯେଉଁ ଭାବପ୍ରବଣତା ଓ ଭକ୍ତି ଆବେଗର ଦୃଶ୍ୟ ପ୍ରତିଫଳିତ ହେଇଛି ସେ ହେଉଛନ୍ତି ଅଭିନେତା ଆକାଶ ଦାସନାୟକ। ଆକାଶଙ୍କ ସହ ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଶ୍ରୀତମ, ଉଷସୀ, ପୁନମ ଓ ହରିହର ମହାପାତ୍ର। ଚଳଚ୍ଚିତ୍ରଟି ଯୁଗ୍ମଭାବେ ପ୍ରଯୋଜନା କରିଛନ୍ତି ରମେଶ ବାରିକ ଓ କେ. ତମନ୍ନା। ପାଖାପାଖି ପଚିଶ ବର୍ଷ ତଳେ ‘ପୁଅ ମୋ କଳା ଠାକୁର’ ଚଳଚ୍ଚିତ୍ରରେ ଅଭିନେତ୍ରୀ ଅନୀତା ଦାସଙ୍କୁ କଳା ଠାକୁରଙ୍କ ମା’ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ ମଧ୍ୟ ଆମ ଦର୍ଶକଙ୍କ ଭିତରେ ଗୁଞ୍ଜରିତ ହେଉଛି ‘ନିଦ ମାଉସୀ ଦେ ଆଉଁଶି ଜଗନ ଆଖି ମୋର, ଚାହିଁ ଚାହିଁ ମୋ ଜୀବନ ଯାଉ ଚକାଆଖିକୁ ତା’ର, ପୁଅ ମୋହର କଳାଠାକୁର।’ ଶୁଣାଯାଉଛି ସେମିତି ଶ୍ରୀଜଗନ୍ନାଥଙ୍କ ଭକ୍ତିଭାବ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଜଣେ ସାଧାରଣ ଯୁବକର କାହାଣୀ ଚଳଚ୍ଚିତ୍ର ‘ମହାବାହୁ’ରେ ପ୍ରତିଫଳିତ ହେଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଶ୍ରୀତମ୍ ଦାସ ବିଜେପି ପକ୍ଷରୁ କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ଓ ପ୍ରଚାରରେ ବ୍ୟସ୍ତ ଅଛନ୍ତି।