ଦିଲ୍‌ବାଲା ଅକ୍ଷୟ: କ୍ଷତି ସହିବା ସତ୍ତ୍ୱେ ବି ଭଂସାଲୀଙ୍କ ପ୍ରଶାଂସା କଲେ

ସଞ୍ଜୟ ଲୀଲା ବଂଶାଲୀଙ୍କ ବହୁ ଚର୍ଚ୍ଚିତ ଓ ବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ ସହିତ ମୁହାଁମୁହିଁ ଲଢ଼େଇକୁ ଟାଳିବାଲାଗି ଶେଷ ମୁହୂର୍ତ୍ତରେ ଅକ୍ଷୟ କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’ର ରିଲିଜ୍‌କୁ ଫେବ୍ରୁଆରି ମାସକୁ ଘୁଞ୍ଚାଇ ଦିଆ ଯାଇଥିବାର ଖବର ତ ଆପଣମାନେ ଜାଣନ୍ତି। ଉଲ୍ଲେଖନୀୟ ଯେ ‘ପ୍ୟାଡ୍‌ ମ୍ୟାନ୍‌’ର ଅନ୍ୟତମ ପ୍ରଯୋଜିକା ହେଉଛନ୍ତି ଅକ୍ଷୟଙ୍କ ପତ୍ନୀ ଟ୍ୟୁଙ୍କଲ୍‌ ଖାନ୍ନା।
ଅକ୍ଷୟ ଏମିତି ପରିସ୍ଥିତିରେ ‘ପଦ୍ମାବତ୍‌’ ଓ ତା’ର ନିର୍ଦ୍ଦେଶକ ସଞ୍ଜୟଙ୍କ ଉପରେ ରାଗିବାଟା ସ୍ୱାଭାବିକ କଥା। ବଲିଉଡ୍‌ରେ ଏମିତି ଘଟଣା ପୂର୍ବରୁ କେତେଥର ଘଟିଛି ଏବଂ ସଂପୃକ୍ତ ଦୁଇପକ୍ଷର ଲୋକେ ପରସ୍ପର ବିରୋଧରେ ଖୋଲାଖୋଲି କହିବା ଓ ଗାଳିଦେବାର ଦେଖା ଯାଇଛି। ‘ପଦ୍ମାବତ୍‌’କୁ ରିଲିଜ୍‌ କରାଇ ନ ଦେବାଲାଗି ପ୍ରବଳ ଚାପ ପଡୁଥିବାବେଳେ ବଲିଉଡ୍‌ର ଅନେକ ଲୋକ ସେ ବିବାଦରୁ ନିଜକୁ ଦୂରେଇ ରଖୁଛନ୍ତି, ସଞ୍ଜୟ ନିଜ ସମସ୍ୟା ନିଜେ ସମାଧାନ କରନ୍ତୁ ବୋଲି କହୁଛନ୍ତି। କ୍ୱଚିତ୍‌ ବଲିଉଡ୍‌ ବ୍ୟକ୍ତିତ୍ୱ ସଞ୍ଜୟଙ୍କୁ ସମର୍ଥନ କରି ଗଣମାଧ୍ୟମରେ ମତ ଦେଇଛନ୍ତି।କିନ୍ତୁ ଅକ୍ଷୟ ଅଲଗା ଧରଣର ଲୋକ। ‘ପଦ୍ମାବତ୍‌’ ପାଇଁ ତାଙ୍କ ଫିଲ୍ମ ରିଲିଜ୍‌ ହୋଇ ପାରିନାହିଁ, ସେ କିଛିଟା ଆର୍ଥିକ କ୍ଷତିରେ ପଡ଼ିଛନ୍ତି। କିନ୍ତୁ ଅକ୍ଷୟ ଖୋଲାଖୋଲି ଭାବେ ସାମ୍ବାଦିକ ସମ୍ମାଳନୀରେ ସଞ୍ଜୟଙ୍କ ସହିତ ବସି କଳାତ୍ମକ ସ୍ୱାଧୀନତା ଓ ‘ପଦ୍ମାବତ୍‌’ ସପକ୍ଷରେ କହିଛନ୍ତି। ଇଏ କମ୍‌ କଥା ନୁହେଁ। ଏଥିପାଇଁ ବହୁତ ସାହସ ଓ ଆତ୍ମବିଶ୍ୱାସ ଲୋଡ଼ା।
ଅକ୍ଷୟ ପ୍ରମାଣିତ କରି ଦେଇଛନ୍ତି ଯେ ସେ କେବଳ ଭଲ ବାର୍ତ୍ତା ଥିବା ଫିଲ୍ମରେ ଅଭିନୟ କରନ୍ତି ନାହିଁ, ନିଜ ଜୀବନରେ ବି ତା’କୁ ଅନୁସରଣ କରନ୍ତି।

ସମ୍ବନ୍ଧିତ ଖବର