ଓଡ଼ିଆ ଓ ହିନ୍ଦୀ ପରେ ବଙ୍ଗଳା ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କଲେ ଅକ୍ଷୟ ପରିଜା, ବର୍ଷକ ଭିତରେ କରିବେ ୭ଟି ଫିଲ୍ମ

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ବୁଧବାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ମିଡ଼ିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ତାଙ୍କର ଭବିଷ୍ୟତ ଯୋଜନା ନେଇ ସୂଚନା ଦେଇଛନ୍ତି । ସେ ବଙ୍ଗଳା ଫିଲ୍ମ ଜଗତର ଜଣାଶୁଣା ନିର୍ମାତା ‘ଉଇନ୍‌ଡ଼ୋଜ୍‌’ ସହ ମିଶି ଆସନ୍ତା ଏକ ବର୍ଷ ମଧ୍ୟରେ ସେ ୭ଟି ବଙ୍ଗଳା ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏଥି ମଧ୍ୟରେ ରହିଛି ଅକ୍ଷୟ ପରିଜା ପ୍ରଡକସନ୍ସର ବଙ୍ଗଳା ବ୍ଲକବଷ୍ଟର ‘ବେଲା ଶେଷ’ର ସିକ୍ୱେଲ୍‌ ‘ବେଲା ସୁରୁ’।

ଏଥି ପୂର୍ବରୁ ଜିଅନ୍ତା ଭୂତ, ଥୁକୁଲ,କେହି ନୁହେଁ କାହାର ଭଳି ଓଡ଼ିଆ ଫିଲ୍ମ ସହ ‘କଡ଼୍‍ଓ୍ଵି ହାଓ୍ଵା’ ଏବଂ ‘ହାଲ୍‌କା’ ଭଳି ଫିଲ୍ମ ଉପହାର ଦେଇ ପରିଚିତି ହାସଲ କରିଛନ୍ତି ଅକ୍ଷୟ ପରିଜା । ଏବେ ଓଲିଉଡ୍‌ ଏବଂ ବଲିଉଡ୍‌ ପରେ ସେ ଟଲିଉଡ ଫିଲ୍ମ ପ୍ରତି ମନ ବଳାଇଛନ୍ତି ।

ଏ ପ୍ରସଙ୍ଗରେ ଅକ୍ଷୟ ପରିଜା କହନ୍ତି, ‘କଳାତ୍ମକ ଫିଲ୍ମ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଥିବା କାହାଣୀ କରିବାର ଇଚ୍ଛା ମୋର ପୂର୍ବରୁ ରହି ଆସିଛି । ଭବିଷ୍ୟତରେ ମୁଁ କିଛି ଏମିତି ଫିଲ୍ମ ତିଆରି କରିବାକୁ ଚାହୁଁଛି ଯାହା ପାଇଁ ୧୦ବର୍ଷ ପରେ ମୁଁ ନିଜକୁ ନେଇ ଗର୍ବ ଅନୁଭବ କରିବି । ମୁଁ କେବେ ହେଲେ ଟଙ୍କା ପାଇଁ ଫିଲ୍ମ କରି ନାହିଁ । ନା ଆଗକୁ କରିବି । ମୁଁ ନନ୍ଦିତା ରଏ ଏବଂ ଶିବପ୍ରସାଦ ମୁଖାର୍ଜୀଙ୍କୁ ଧନ୍ୟବାଦ୍‌ ଜଣାଇବି ସେ ମୋତେ ‘ଉଇନ୍‌ଡ଼ୋଜ୍‌’ ଭଳି କମ୍ପାନୀ ସହ କାମ କରିବାର ସୁଯୋଗ ଦେଇଛନ୍ତି।’

ସମ୍ବନ୍ଧିତ ଖବର