ନୂଆଦିଲ୍ଲୀ: ପାକିସ୍ତାନୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବନ୍ଦ ଆପାର୍ଟମେଣ୍ଟରୁ ଅଭିନେତ୍ରୀ ହୁମୈରା ଅସଗର ଅଲି (୩୨)ଙ୍କ ମୃତଦେହ ମିଳିଛି ।
ଡିଜିଟାଲ ଏବଂ ଫୋରେନ୍ସିକ ପ୍ରମାଣ ଆଧାରରେ, କୁହାଯାଉଛି ଯେ ହୁମୈରା ଅସଗରଙ୍କ ମୃତଦେହ ମାସେ ପୁରୁଣା ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାପା ଏବଂ ଭାଇ ହୁମୈରାଙ୍କ ମୃତଦେହ ନେବାକୁ ମନା କରି ଦେଇଛନ୍ତି। ବାପା ଓ ଭାଇଙ୍କ କହିବାନୁସାରେର ହୁମୈରାଙ୍କ ସହିତ ସେମାନଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ।
ସୂଚନାଯୋଗ୍ୟ, ହୁମୈରା ଅସଗର ପାକିସ୍ତାନୀ ଶିଳ୍ପରେ ନିଜର ଏକ ଛାପ ଛାଡ଼ିବାକୁ ଖୁବ ପରିଶ୍ରମ କ୍ରୁଥିଲେ। ସେ ସୋସିଆଲ ମିଡିଆରେ ବି ସକ୍ରିୟ ଥିଲେ। ଯେଉଁ ଫ୍ଲାଟରୁ ହୁମୈରାଙ୍କ ମୃତଦେହ ମିଳିଛି ସେଠାରେ ଅଭିନେତ୍ରୀ ଗତ ୨୦୧୮ ମସିହାରୁ ରହି ଆସୁଥିଲେ। ତେବେ ହୁମୈରା ୨୦୨୪ ମସିହାରୁ ଫ୍ଲାଟର ଭଡା ଦେଇ ନଥିଲେ। ଏହି କାରଣରୁ ଘରମାଲିକ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।
ଏହାପରେ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଗିଜ୍ରି ପୁଲିସ ଆପାର୍ଟମେଣ୍ଟ ଖାଲି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ଭିତରୁ କୌଣସି ପ୍ରକାର ଉତ୍ତର ନମିଳିବାରୁ ପୁଲିସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ପ୍ରବେଶ ପରେ ପୁଲିସ ଘର ଭିତରେ ହୁମୈରାଙ୍କ ପଚାଶଢ଼ା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏମିତିକି ହୁମୈରାଙ୍କ ଶରୀରର ଅଧିକାଂଶ ଅଙ୍ଗ ପଚି ପୋକ ହୋଇଯାଇଥିଲା। ଯେଉଁ କାରଣରୁ ଉଦ୍ଧାର ସମୟରେ ପୁଲିସକୁ ସମସ୍ୟା ହୋଇଥିଲା।