ସ୍ବାଧୀନତା ଦିବସରେ ଭାରତୀୟ ନାଗରିକତା ପାଇବା ନେଇ ଖୁସି ବ୍ୟକ୍ତ କଲେ ଅକ୍ଷୟ କୁମାର

ମୁମ୍ବାଇ: କାନାଡାର ନାଗରିକତ୍ୱ ପାଇଁ ଦେଶବାସୀଙ୍କ ଟାର୍ଗେଟରେ ରହୁଥିବା ଅକ୍ଷୟ କୁମାରଙ୍କୁ ପୁଣିଥରେ ଭାରତୀୟ ନାଗରିକତା ମିଳିଛି। ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ତାଙ୍କର ସମସ୍ତ ପ୍ରଶଂସକ ଏବଂ ଦେଶବାସୀଙ୍କ ସହ ଟ୍ୱିଟରରେ ଏହି ଖୁସି ଖବର ସେୟାର କରିଛନ୍ତି। ଅକ୍ଷୟ କୁମାରଙ୍କୁ ‘କାନାଡା କୁମାର’ ବୋଲି କହି ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା ଏବଂ ସେ ଭାରତରେ ଟିକସ ଦେଉଥିବା ବେଳେ କାନାଡାର ନାଗରିକତ୍ୱ ପାଇଥିଲେ। ଦୀର୍ଘ ଦିନ ଧରି ଅକ୍ଷୟ କୁମାର ଭାରତର ନାଗରିକତ୍ୱ ପାଇବାକୁ ଚେଷ୍ଟା କରୁଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି।
ଅକ୍ଷୟ କୁମାର ତାଙ୍କ ଟ୍ୱିଟରରେ ଭାରତୀୟ ନାଗରିକତା ପାଇବାର ପ୍ରମାଣ ଦେଇଛନ୍ତି। ସେ ଟୁଇଟରରେ ଡକ୍ୟୁମେଣ୍ଟଗୁଡିକର ଏକ କପି ମଧ୍ୟ ସେୟାର କରିଛନ୍ତି। ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଅକ୍ଷୟ କୁମାର ଲେଖିଛନ୍ତି, ‘‘ଏବେ ହୃଦୟ ଏବଂ ନାଗରିକତା ଉଭୟ ଭାରତୀୟ। ଜୟ ହିନ୍ଦ।’’ ଏଥିପାଇଁ ଅକ୍ଷୟ କୁମାରଙ୍କୁ ଅନେକ ଅଭିନନ୍ଦନ ମିଳୁଛି।

 

ତାଙ୍କର ପ୍ରଶଂସକମାନେ ଅକ୍ଷୟଙ୍କ ସମର୍ଥନରେ ବିଭିନ୍ନ କଥା ଲେଖିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ଜଣେ ଭାରତୀୟ ହେବା ପାଇଁ ଅନେକ ଅନେକ ଅଭିନନ୍ଦନ, ଯଦି ସମ୍ଭବ, କାନାଡାକୁ ମଧ୍ୟ ଆପଣଙ୍କ ହୃଦୟରୁ ଫିଙ୍ଗିଦିଅନ୍ତୁ’।

ଅତୀତରେ ଅକ୍ଷୟ କହିଥି‌ଲେ ଯେ ‘‘କିଛି ବର୍ଷ ପୂର୍ବେ ମୋର ଚଳଚ୍ଚିତ୍ର ଭଲ କାମ କରୁନଥିଲା ଏବଂ ପ୍ରାୟ ୧୪-୧୫ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା, ତେଣୁ ମୁଁ ଭାବିଲି ବୋଧହୁଏ ମୁଁ ଯାଇ ଅନ୍ୟତ୍ର କାମ କରିବା ଉଚିତ ହେବ।’’
ତେବେ କାନାଡାର ନାଗରିକତ୍ୱକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହୋଇ ଅକ୍ଷୟ ୨୦୧୯ ମସିହାରେ ନିଜେ ଭାରତୀୟ ନାଗରିକତ୍ୱ ପାଇବାକୁ ଆବେଦନ କରିଥିଲେ। ଅକ୍ଷୟ କହିଥିଲେ, ‘ଭାରତ ମୋ ପାଇଁ ସବୁକିଛି, ମୁଁ ଯାହା ଅର୍ଜନ କରିଛି, ଯାହା ପାଇଛି ତାହା ଏଠାରୁ ପାଇଛି ଏବଂ ମୁଁ ଭାଗ୍ୟବାନ ଯେ ଫେରେଇବାର ସୁଯୋଗ ବି ପାଇଛି। ଯେତେବେଳେ ଲୋକମାନେ କିଛି ନ ଜାଣି କିଛି ଆଡୁସାଡୁ କୁହନ୍ତି ଭାରି ଖରାପ ଲାଗେ।’

ସମ୍ବନ୍ଧିତ ଖବର