ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଖିଲାଡି କୁମାର ତାଙ୍କ ଜୀବନରେ କରିଥିବା ଭୁଲ ସବୁ ସ୍ବୀକାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଆଜ ତକର ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ସିଧି ବାତ୍'ରେ ଅକ୍ଷୟ କୁମାର ନିଜ କ୍ୟାରିୟରରେ କରିଥିବା ଭୁଲ ବିଷୟରେ କହିଥିଲେ। 'ସିଧି ବାତ୍'ରେ ଅକ୍ଷୟ କୁମାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ଆପଣଙ୍କ ଜୀବନରେ କେବେ କୌଣସି ଭୁଲ କରିଛନ୍ତି, ଯାହାକୁ ଆପଣ ଭୁଲ ବୋଲି ଭାବି ଏହାକୁ ଗ୍ରହଣ କରିଛନ୍ତି?
ଉତ୍ତରରେ ଅକ୍ଷୟ କୁମାର କହିଥିଲେ ଯେ ହଁ, ମୁଁ ଗୋଟିଏ ଭୁଲ କରିଥିଲି ଏବଂ ମୁଁ ଏହାକୁ ସଙ୍ଗେ ସଙ୍ଗେ ଗ୍ରହଣ ମଧ୍ୟ କରିଥିଲି। ଗତବର୍ଷ ମୁଁ ପାନ ମସଲାର ବିଜ୍ଞାପନ କରିଥିଲି। ତାହା ମୋର ଭୁଲ ଥିଲା। ସେଦିନ ରାତିରେ ମୁଁ ଶାନ୍ତିରେ ଶୋଇ ପାରିଲି ନାହିଁ। ତେଣୁ ମୁଁ ସାମାଜିକ ଗଣମାଧ୍ୟମରେ ବିବୃତି ଜାରି କରିଥିଲି। ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତି ଭୁଲ କରି ଶିଖନ୍ତି, ତେଣୁ ମୁଁ ମୋ ଭୁଲରୁ ଶିଖିଲି। ମୁଁ ଯେତେବେଳେ ମୋ ମନ କଥା ଲେଖି କ୍ଷମା ମାଗିଲି, ସେତେବେଳେ ମୋତେ ନେଇ ହେଉଥିବା ବିବାଦ ଥମିଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୨ରେ ଅକ୍ଷୟ ପାନ ମସଲା ବିଜ୍ଞାପନରେ ନଜର ଆସିବା ବିବାଦୀୟ ହେବାରୁ ସାମାଜିକ ଗଣମାଧ୍ୟମରେ ବିବୃତି ଜାରି କରିବା ସହିତ ପ୍ରଶଂସକମାନଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ ଯେ, ମୋର ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗୁଛି। ଗତ ଅଳ୍ପ କିଛି ଦିନ ହେବ ଆପଣମାନଙ୍କର ପ୍ରତିକ୍ରିୟା ମୋତେ ଖୁବ୍ ବ୍ୟଥିତ କରିଛି। ମୁଁ ତମାଖୁ ସପକ୍ଷରେ ନାହିଁ କି, ରହିବି ନାହିଁ। ତେଣୁ, ‘ବିମଳ ଅଳେଇଚ’ ସହିତ ଥିବା ମୋର ସମ୍ପୃକ୍ତି ପ୍ରତି ଆପଣମାନଙ୍କୁ ପ୍ରତିକ୍ରିୟାକୁ ସମ୍ମାନ ଜଣାଉଛି। ସବୁ ଅପମାନ ସହ୍ୟ କରି ମୁଁ ସେଥିରୁ ଓହରି ଆସିଛି। ସେ ବାବଦରେ ଉପାର୍ଜନ କରିଥିବା ସମସ୍ତ ଅର୍ଥ କୌଣସି ମହତ୍ କାର୍ଯ୍ୟ ପାଇଁ ଦାନ କରିବାକୁ ସ୍ଥିର କରିଛି। ମୋ ସହିତ ହୋଇଥିବା ଆଇନଗତ ରାଜିନାମାର ଅବସାନ ପର୍ଯ୍ୟନ୍ତ ଉକ୍ତ କମ୍ପାନି ମୁଁ ଅଭିନୟ କରିଥିବା ବିଜ୍ଞାପନ ପ୍ରସାରଣ କରିପାରେ। କିନ୍ତୁ, ମୁଁ ପ୍ରତିଶ୍ରୁତି ଦେଉଛି ଭବିଷ୍ୟତରେ ଏଭଳି ଅବକାଶ ଆସିଲେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବି। ପ୍ରତିବଦଳରେ ମୁଁ ଆପଣଙ୍କର ସ୍ନେହ ଓ ସଦିଚ୍ଛା କାମନା କରୁଛି।