ମୁମ୍ବାଇ: ଆମେ ଏବେ କ’ଣ କରିବୁ ସାର୍? ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ପ୍ରଶ୍ନ କଲେ ଅକ୍ଷୟ କୁମାର। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ କରିଥିବା କାମ ବିଷୟରେ ଜଣାପଡ଼ିବାରୁ ଅକ୍ଷୟ ଏଭଳି ପଚାରିଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ନବରାତ୍ରିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଗରବା ଗୀତ ‘ମାଡୀ’ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ବୟଂ ଏହି ଗୀତଟି ଲେଖିଥିବା ବେଳେ ଏହାକୁ ଗାଇଛନ୍ତି ଦିବ୍ୟ କୁମାର ଏବଂ ସ୍ବରସଂଯୋଜନା କରିଛନ୍ତି ମୀତ୍‌ ବ୍ରୋସ୍। ଉଭୟ ୟୁଟ୍ୟୁବ୍ ଓ ଏକ୍ସରେ ପ୍ରଧାନମନ୍ତ୍ରୀ ଏହି ଭିଡିଓଟିକୁ ସେୟାର କରିଥିଲେ। ଗୀତଟି ସାମ୍ନାକୁ ଆସିବା ପରେ ଏବେ ତାଙ୍କର ପ୍ରଶଂସା କରି ଅକ୍ଷୟ କୁମାର ଲେଖିଛନ୍ତି, "ଗୀତଟି ବହୁତ ଭଲ ହୋଇଛି ନରେନ୍ଦ୍ର ମୋଦୀଜୀ! ସାର୍, ବର୍ତ୍ତମାନ ଆପଣ ଆମ କ୍ଷେତ୍ରକୁ ମଧ୍ୟ ଆସିଲେଣି। ଆମେ କୁଆଡେ ଯିବୁ? ଶୁଭ ନବରାତ୍ରୀ ଅବସରରେ ଆପଣଙ୍କୁ ଏବଂ ସମସ୍ତଙ୍କୁ ଶୁଭେଚ୍ଛା।"

ଏହା ପୂର୍ବରୁ ‘ମାଡୀ’ର ଭିଡିଓଟି ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ନବରାତ୍ରିର ପାବନ ଅବସରରେ ଏହି ଗରବା ଗୀତଟି ସେୟାର କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଗୀତଟି ମୁଁ ଗତ ସପ୍ତାହରେ ଲେଖିଥିଲି। ପାର୍ବଣର ସୁରଝଙ୍କାର ସମସ୍ତଙ୍କୁ ଆମୋଦିତ କରୁ। ଏହି ଗୀତଟିକୁ ସ୍ବର ଦେଇଥିବା ଓ ଗାଇଥିବା ମୀଥ୍‌ ବ୍ରୋସ୍ ଓ ଦିବ୍ୟ କୁମାରଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି।