ସ୍କଟ୍‌ଲ୍ୟାଣ୍ଡ୍‌ରେ ‘ବଡ଼େ ମିଆଁ ଛୋଟେ ମିଆଁ’ ସୁଟିଂ ସେଟ୍‌‌ରେ ଷ୍ଟଣ୍ଟ୍‌ କରୁଥିବା ବେଳେ ଅକ୍ଷୟଙ୍କ ଆଣ୍ଠୁରେ ଆଘାତ

ମୁମ୍ବ‌ାଇ: ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସେଟରେ ଆଘାତ ପାଇବା ପରେ କାର୍ଯ୍ୟରୁ ବିରତି ନେଉଥିବା ଜଣାପଡିଛି। ତାଙ୍କ ଟିମ୍‌ ବର୍ତ୍ତମାନ ଉଭୟ ଅକ୍ଷୟ ଏବଂ ଟାଇଗର ଶ୍ରଫଙ୍କ ସହ ସ୍କଟଲ୍ୟାଣ୍ଡରେ ସୁଟିଂ କରୁଥିବା ବେଳେ ଷ୍ଟଣ୍ଟ କରିବା ସମୟରେ ଆକ୍ସନ୍ ଷ୍ଟାରଙ୍କ ଆଣ୍ଠୁରେ ଆଘାତ ଲାଗିଛି।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ କିଛି ସମୟ ପାଇଁ ଆକ୍ସନଠାରୁ ଦୂରରେ ରହିବାକୁ କୁହାଯାଇଛି ଏବଂ ଫିଲ୍ମର ସ୍କଟଲ୍ୟାଣ୍ଡ୍ କାର୍ଯ୍ୟସୂଚୀକୁ ଶେଷ କରିବାକୁ ତାଙ୍କର ଅନ୍ୟ ଦୃଶ୍ୟକୁ କ୍ଲୋଜ ଅପ୍ ସହିତ ସୁଟିଂ କରାଯାଉଛି।

ଅଲ୍ଲୀ ଅବାସ୍‌ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌ ଏକତ୍ର ନଜର ଆସିବେ। କିଛି ଦିନ ତଳେ ନିର୍ଦ୍ଦେଶକ ବନ୍ଧୁକ, ଟ୍ୟାଙ୍କ୍‌ ଓ ହ୍ବାଟ୍‌ନଟ୍‌ ଥିବା ସ୍କଟଲ୍ୟାଣ୍ଡରୁ ଏକ ଆକ୍ସନ ଭିଡିଓ ସେୟାର କରିଥିଲେ।

ତେବେ ଯଦିଓ ‘ବଡ଼େ ମିଆଁ ଛୋଟେ ମିଆଁ’କୁ ନେଇ ପୂର୍ବରୁ ଅନେକ ପ୍ରକାରର ଗୁଜବ ସୃଷ୍ଟି ହୋଇଛି, ମାତ୍ର ଆମେ ଜଣାଇ ଦେଉଛୁ ଯେ ଏହା ୧୯୯୮ ମସିହାର ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ଉକ୍ତ ଫିଲ୍ମର ରିମେକ ନୁହେଁ।

ଏଥିରେ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା ଏବଂ ପୃଥ୍ବୀରାଜ୍‌ ସୁକୁମାରନ ମଧ୍ୟ ଅଭିନୟ କରିଛନ୍ତି। ଏହାଛଡ଼ା ଚଳିତବର୍ଷ ଡିସେମ୍ବର ୨୫ ତାରିଖରେ ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର