ନୂଆଦିଲ୍ଲୀ: ପୁଣି ଥରେ ଗୁଟ୍‌ଖା ଖାଇବା ପ୍ରସଂଗରେ ଚର୍ଚ୍ଚିତ ପାଲଟିଲେ ଖିଲାଡ଼ି ବୟ ଅକ୍ଷୟ କୁମାର। ଅକ୍ଷୟ କୁମାର ବଲିଉଡର ବ୍ୟସ୍ତ ତାରକାମାନଙ୍କ ମଧ୍ୟରୁ ଜଣେ। ସେ ଫିଲ୍ମଠାରୁ ଆରମ୍ଭ କରି ଲାଇଭ୍ ସୋ’ ଓ ବିଜ୍ଞାପନ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସକ୍ରିୟ। ତେବେ ପୂର୍ବରୁ ସେ ଗୁଟ୍‌ଖା ବିଜ୍ଞାପନ କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏଥିପାଇଁ ଅନେକ ସମୟରେ ସମାଲୋଚିତ ବି ହୋଇଛନ୍ତି। 

Advertisment

ସେ ଜଣେ ଫିଟନେସ୍ ଫ୍ରିକ୍ ହେବା ସତ୍ତ୍ୱେ ଗୁଟଖା ପାଇଁ ବିଜ୍ଞାପନ କରିବା ଲୋକଙ୍କୁ ପସନ୍ଦ ଆସିନଥିଲା। ଏଥିପାଇଁ ଅକ୍ଷୟଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥର କିନ୍ତୁ ସେ ଗୁଟ୍‌ଖା ବିରୋଧ‌ରେ ବୟାନ ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି। ଯାହାକୁ ନେଇ ପ୍ରଶଂସକମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ପ୍ରତି, କାନପୁରରେ ଆୟୋଜିତ 'ଜଲି ଏଲଏଲବି ୩'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅକ୍ଷୟ କୁମାର ଗଣମାଧ୍ୟମକୁ ଭେଟିଥିଲେ। ସେ ଫିଲ୍ମ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ, ସେ ଏକ ବୟାନ ଦେଇଥିଲେ ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ପ୍ରକୃତରେ, ଜଣେ ସାମ୍ବାଦିକ ଅକ୍ଷୟଙ୍କୁ ପଚାରିଥିଲେ ଯେ ଚରିତ୍ରରେ ଅଭିନୟ କରିବା ସମୟରେ ସେ କାନପୁରର ଗୁଟଖା ସଂସ୍କୃତିକୁ କିପରି ଅନୁଭବ କରୁଛନ୍ତି। ଏଥିରେ ଅଭିନେତା ବିଳମ୍ବ ନକରି କହିଲେ, "ଗୁଟଖା ଖାଇବା ଉଚିତ୍ ନୁହେଁ’’ ବୋଲି ଉତ୍ତର ରଖିଥିଲେ। ଯେତେବେଳେ ସାମ୍ବାଦିକ ବାଧା ଦେବାକୁ ଚେଷ୍ଟା କଲେ, ଅକ୍ଷୟ ନିଜ ଶୈଳୀରେ ଉତ୍ତର ଦେଲେ, "ଏହା ମୋର ସାକ୍ଷାତକାର ନା ତୁମର? ମୁଁ କହୁଛି, ଗୁଟଖା ଖାଇବା ଉଚିତ୍ ନୁହେଁ, ବାସ୍‌ ଏତିକି।" ଏହି ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଅକ୍ଷୟଙ୍କ ସ୍ପଷ୍ଟବାଣୀ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।