ଆଜି ଖୋକାଭାଇଙ୍କ ଜନ୍ମଦିନ: ଅକ୍ଷୟଙ୍କ ଗୀତ ପଛର ଅକ୍ଷୟ କାହାଣୀ

ଭୁବନେଶ୍ୱର: ପାନ ଜାକିଥିବା ଗାଉଁଲି ସୁନ୍ଦରୀ ତରୁଣୀର ନାଲି ଟହଟହ ଓଠ ଦେଇ ନିଗିଡ଼ି ପଡ଼ୁଥିବା ପାନ ପିକକୁ ଦେଖି ସେ ଲେଖିପାରୁଥିଲେ ‘ଆଲୋ ହୁଣ୍ଡି ପଇସାକେ ପାନ କେତେ ଖଣ୍ଡି…। ମଞ୍ଚରେ ବସିଥିବା ବେଳେ ଅପସରି ଯାଇଥିବା ‘ଫଗୁଣ’ର ଅଭାବବୋଧକୁ ଭାଳି ହୋଇ ସେ ଗାଇ ପାରୁଥିଲେ ‘ହେ ଫଗୁଣ ତୁମେ ଗଲା ପରେ ଅନେକ ଯାତନା ଏଠି…। କେବେ ନିପଟ ମଫସଲରୁ ସେ ଶବ୍ଦମାନଙ୍କୁ ସାଉଁଟି ପଙ୍କ୍ତିଂରେ ଉତାରନ୍ତି ତ ଆଉ କେବେ ମଞ୍ଚରେ ବସି ଥାଉଥାଉ ଲେଖି ପକାନ୍ତି। ବଡ଼ ଅଜବ ତାଙ୍କ ସୃଜନର ଫୁଆରା। ୮ ହଜାର ଗୀତର ରୂପକାର ଭାବେ ବିରଳ କୀର୍ତିମାନର ଅଧିକାରୀ ସେ। କେନ୍ଦ୍ରାପଡ଼ା ବାଙ୍କିମୁଣ୍ଡେଇ ଭଳି ଅଖ୍ୟାତ ପଲ୍ଲୀରେ ୧୯୩୭ ଅକ୍ଟୋବର ୧୨ରେ ଜନ୍ମନେଇ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ସଂଗୀତ ଜଗତର ଏହି ଅଦ୍ୱିତୀୟ ସମ୍ରାଟ ଜଣକ ହେଉଛନ୍ତି ଅକ୍ଷୟ ମହାନ୍ତି। ଅକ୍ଷୟ ଗବେଷକ ଡ.ଜେନାମଣି ସଂଜୀବ କୁମାରଙ୍କ ଭାଷାରେ, ଜୀବନ କାଳ ଭିତରେ ସେ ତ ଅନେକ ଗୀତ ରଚନା କରିଛନ୍ତି। ମାତ୍ର ତାଙ୍କର ଏମିତି କିଛି ଗୀତ ଅଛି, ଯାହାର ପଛରେ ରହିଛି ଅନେକ ଅନାଲୋଚିତ କାହାଣୀ।

ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ…
ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ.., ଅୟସର ନନ୍ଦିନୀ ହୋ ସଙ୍ଗ ତୁମ ମନ୍ଦ ନୁହେଁ…ଗୀତ ଆଜି ବି ଲୋକମୁଖରେ ଅମର ହୋଇ ରହିଛି। ମାତ୍ର ସେତେବେଳେ ସେହି ଗୀତଟିକୁ ଅଶ୍ଳୀଳ ଦର୍ଶାଯାଇଥିଲା। ଏମିତିକି ଆକାଶବାଣୀ ଗୀତଟିକୁ ଅଶ୍ଳୀଳର ଆଖ୍ୟା ଦେଇ ଗୀତଟିକୁ ବ୍ୟାନ୍‌ କରି ଦେଇଥିଲା। କିନ୍ତୁ ପରେ ଏହି ଗୀତଟି ଚର୍ଚିତ ହୋଇ ‘କ୍ଲାସିକ୍‌’ର ଆଖ୍ୟା ପାଇଲା।

ପୁଣ୍ୟର ନଦୀତୀରେ…. ପାପର ତରୁଡାଳେ….
ପୁଣ୍ୟର ନଦୀତୀରେ..ପାପର ତରୁଡାଳେ..ଗୀତଟି ଲେଖିବା ପାଇଁ ଅକ୍ଷୟ ମହାନ୍ତିଙ୍କୁ ବର୍ଷେ ଲାଗି ଯାଇଥିଲା। ‘ଆତ୍ମା’ ହିଁ ଥିଲା ତାଙ୍କର ଏହି ଗୀତର କେନ୍ଦ୍ରବିନ୍ଦୁ। ମାତ୍ର ‘ଏ ଫଗୁଣ ତୁମେ ଗଲା ପରେ..ଅନେକ ଯାତନା ଏଠି..କୁ ସେ କେଇଟି ମୁହୂର୍ତରେ ବଲାଙ୍ଗୀରର ଏକ ମଞ୍ଚରେ ଲେଖି ପକାଇଥିଲେ। ଯେଉଁ ଗୀତ ଦୁଇଟି ଅକ୍ଷୟଙ୍କ ମାଇଲ୍‌ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ମୃତ୍ୟୁର ଠିକ୍‌ ୧ ମାସ ୨୦ ଦିନ ଆଗରୁ ବିଚିତ୍ରବର୍ଣ୍ଣା ବାସଭବନରେ ଡ.ଜେନାମଣି ସଂଜୀବ କୁମାର ଓ ତାଙ୍କର ଏକ କଥୋପକଥନ ଚାଲିଥାଏ। ବିଚିତ୍ରବର୍ଣ୍ଣା ଛାଡ଼ିବା ପୂର୍ବରୁ ସଂଜୀବ ତାଙ୍କ ଡାଏରିଟିକୁ ଅକ୍ଷୟଙ୍କୁ ବଢ଼େଇ ଦେଇଥିଲେ। ସେଥିରେ ଅକ୍ଷୟ ଲେଖିଦେଲେ ‘ମୃତ୍ୟୁ ମୋ ପାଇଁ ଭାରି ଦୟାବନ୍ତ.. । ଏହା ଠିକ୍‌ ୩୯ ଦିନ ପରେ ଅକ୍ଷୟ ସବୁ ଦିନ ପାଇଁ ଚାଲିଯାଇଥିଲେ ସେଇ ମୃତ୍ୟୁ ଲୋକକୁ…।

ଷଣ୍ଢ ଆସି କଲା ତୁମୁଳ କାଣ୍ଡ…
ଆକାଶବାଣୀରେ ଅକ୍ଷୟ ଏକ ପଲ୍ଲୀ ଗୀତ ‘ତହୁଁ କାଞ୍ଜି ଗଲା ଖରେ…ଯାଇ ପଶିଲା ଜେନା ଘରେ… ପରିବେଷଣ କରିବା ବେଳେ ଏଇ ସ୍ୱରରେ କଟକର ଷଣ୍ଢଙ୍କ ପ୍ରାଦୁର୍ଭାବକୁ ନେଇ ଗାଇବାକୁ ଇଚ୍ଛା କରିଥିଲେ। କଟକର ପୂରା ଚିତ୍ରକୁ ସେତେବେଳେ ସେ ଏହି ଗୀତରେ ଖଞ୍ଜିଥିଲେ। ମଙ୍ଗଳାବାଗର ଡାକ୍ତରଖାନା, ବାଲୁବଜାରର ବହି ଦୋକାନ, ଚାନ୍ଦିନୀଚୌକର ଚାନ୍ଦିନୀ ମେଢ଼ଠୁ ନେଇ ଆହୁରି କେତେ କ’ଣ ସେ ଗୀତରେ ଉତାରି ପକାଇଥିଲେ। ଅନେକ ଦିନ ଯାଏଁ ସେ ଯେଉଁଠିକୁ ଯାଉଥିଲେ ତାଙ୍କୁ ମଂଚ ତଳୁ ଷଣ୍ଢ ଗୀତ ଗାଇବାକୁ ଅନୁରୋଧ ରହୁଥିଲା। ଦିନେ ଚୌଦ୍ୱାର ବଡ଼ବଜାରରେ ଲୋକଙ୍କ ଡିମାଣ୍ଡ୍‌ ଥିଲା ଆଜ୍ଞା ଆମ ଚୌଦ୍ୱାରକୁ ଟିକେ ଷଣ୍ଢକୁ ଆଣନ୍ତୁ। ସେଇଠୁ ସେ ଚୌଦ୍ୱାରକୁ ଲଗେଇ ସଙ୍ଗେସଙ୍ଗେ ଷଣ୍ଢ ଗୀତ ପରିବେଷଣ କରିଥିଲେ। ଗୀତଟି ଥିଲା ‘ଷଣ୍ଢ ଆସି କଲା ତୁମୁଳ କାଣ୍ଡ…କଟକ ସହର ପାଇଲା ଦଣ୍ଡ…।

କବାଟ ଖୋଲ ପ୍ରିୟେ…
୧୯୮୦ ମସିହା ରେଭେନ୍ସା କଲେଜ୍‌ର ବାର୍ଷିକ ଉତ୍ସବ ଆୟୋଜନ ହେଉଥାଏ। ସେତେବେଳେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ବିଜୁ ପଟ୍ଟନାୟକ କଲେଜକୁ ଅତିଥି ହୋଇ ଯାଇଥାଆନ୍ତି। କଲେଜର ଅଧ୍ୟକ୍ଷ ଡ.ମହେନ୍ଦ୍ର କୁମାର ରାଉତ ମଧ୍ୟ ମଞ୍ଚ ଉପରେ ଥାଆନ୍ତି। ଅକ୍ଷୟ ମହାନ୍ତିଙ୍କୁ ଗୀତ ଗାଇବା ପାଇଁ ମଞ୍ଚକୁ ଡକରା ପଡ଼ିଲା। ଅକ୍ଷୟ ମଞ୍ଚ ଉପରେ ଥାଇ ଯୁବ ସୁଲଭ ମନରେ କହିଲେ, ଆଜ୍ଞା ମତେ କ୍ଷମା କରିବେ ମୁଁ ଆଜି ମଦର ଉପକାରିତା ଓ ଅପକାରିତା ସମ୍ପର୍କରେ ଗୀତଟିଏ ଗାଇବି। ଏହା କହି ସେ ଗାଇଥିଲେ ‘ଗନ୍ଧିଆ ବୋଉ.. କବାଟ ଖୋଲ ପ୍ରିୟେ.. ମୁଁ ତମର ସିଏ..। ଗୀତଟି ସରିବା ପରେ ସମ୍ମିଳନୀ କକ୍ଷରେ ତାଳିର ବର୍ଷା ହେଲା। ପୁଣି ଗୀତଟିକୁ ନେଇ ସାରା କଲେଜ୍‌ରେ ଚର୍ଚା ହେଲା ବୋଲି କୁହନ୍ତି ଭୂଗୋଳବିତ୍‌ ତଥା ଗବେଷକ ଡ.ଜେନାମଣି ସଂଜୀବ କୁମାର।

ଯା’ରେ ଯା’ ଭାସି ଯା…
ସାରା ବିଶ୍ୱରେ ସଂଗୀତକୁ ଏକ ନୂଆ ମୋଡ଼ ଦେଇଥିଲା ‘ଦି ବିଉଟିଫୁଲ୍‌ ବ୍ଲୁ ଡାନ୍ୟୁବ୍‌’। ଅକ୍ଷୟ ମହାନ୍ତି ଏହି ଗୀତକୁ ଶୁଣିବା ପରେ ଏହା ପଛର ରହସ୍ୟ ଖୋଜିଥିଲେ। ବିଶ୍ୱର ପ୍ରସିଦ୍ଧ ଗୀତିକାର ଜୋସେଫ ଅଲ୍ଲୀ ଯେବେ ୟୁରୋପର ଡାନ୍ୟୁବ୍‌ ନଦୀରେ ଭ୍ରମଣ କରୁଥିଲେ, ସେ ସେହି ନଦୀର ପ୍ରାକୃତିକ ଦୃଶ୍ୟରେ ବିହ୍ଵଳିତ ହୋଇ ପଡ଼ିଥିଲେ। ସେ ତୁରନ୍ତ କହିଲେ, ଯଦି ଏହାକୁ କିଏ ସ୍ୱର ଦିଅନ୍ତା ତେବେ ମୁଁ ଏହି ନଦୀକୁ ନେଇ ସଙ୍ଗେସଙ୍ଗେ ଗୀତଟା ଲେଖିପକାନ୍ତି। ଏହା ଜାଣିବା ପରେ ଅକ୍ଷୟ ମହାନ୍ତି କହିଲେ, ଆମ ମହାନଦୀକୁ ନେଇ ଗୀତଟିଏ ଲେଖା ଯାଇପାରିବନି କାହିଁକି? ସେଇଠୁ ସେ ପ୍ରେରଣା ପାଇ ଶିବବ୍ରତ ଦାସଙ୍କ ସହ ମିଶି ସୃଷ୍ଟି କରିଥିଲେ, ଯା ଯା’ରେ ଭାସି ଭାସିଯା…ନଉକା ମୋର ଭାସିଯା..ମହାନଦୀର ନୀଳ ଢେଉରେ ନାଚିନାଚି ତୁ ଭାସିଯା…। ବିଶେଷକରି ଏଇ ଗୀତ ଭିତରେ ଘର ଜୋଇଁଆ, ଗାଧୁଆ ତୁଠ, ନନୀ, କାଳୀ କନିଆ, କଟକିଆଣୀ ଝିଅ, ଫଟଫଟିଆ ଆଦି ଶବ୍ଦର ପ୍ରାଚୁର୍ଯ୍ୟ ଗୀତକୁ କାଳ କାଳ ପାଇଁ ଅମର କରିଦେଲା।

ଆଲୋ ହୁଣ୍ଡି ପଇସାକେ ପାନ କେତେ ଖଣ୍ଡି…
ଦିନେ ଏକ ଗାଁ’କୁ ସଂଗୀତ କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ଅକ୍ଷୟ ମହାନ୍ତି ଯାଇଥାନ୍ତି। ଗାଁ’ରେ ପ୍ରବେଶ ପୂର୍ବରୁ ଗାଁର ଯୁବତୀ ଓ ମହିଳାମାନେ ଅକ୍ଷୟ ମହାନ୍ତିଙ୍କୁ ବନ୍ଦାପନା କରି ଗାଁ’ ଭିତରକୁ ପାଛୋଟି ନେଉଥିଲେ। ଓଡ଼ିଶାର ଗାଁ’ଗଣ୍ଡାରେ ସେତେବେଳେ ଝିଅ ବୋହୂଙ୍କ ମଧ୍ୟରେ ପାନର ଭାରି ସଉକ। ତେଣୁ ଜଣେ ସୁନ୍ଦରୀ ତରୁଣୀ ଅକ୍ଷୟଙ୍କୁ ବନ୍ଦାପନା କରିବା ବେଳେ ତା’ ଓଠରୁ ପାନ ପିକ ଖସି ପଡ଼ୁଥିଲା। ଏତକ ଦେଖି ସେ କହି ପକାଇଲେ ‘ଆଲୋ ହୁଣ୍ଡି ପାନ ଖାଇଛୁ’। ସେଇଠୁ ତାଙ୍କ ନିକଟରେ ଥିବା ଅନ୍ୟ ଲୋକମାନେ କହି ପକାଇଲେ, ଆଜ୍ଞା ତାକୁ ପଚାରିଲେ ପାନ ଖଣ୍ଡକ କେତେ ପଇସା। ଅକ୍ଷୟ ନିଜ ସ୍ମୃତିପଟରେ ସଂରକ୍ଷିତ ରଖିଥିବା ସେଇ ଶବ୍ଦମାନଙ୍କୁ ପରବର୍ତୀ ସମୟରେ କାଗଜରେ ଉତାରି ଦେଇଥିଲେ। ଆଉ ସେଇଠୁ ଜନ୍ମ ନେଇଥିଲା ‘ଆଲୋ ହୁଣ୍ଡି…ପଇସାରେ ପାନ କେତେ ଖଣ୍ଡି…ମହରଗ କାଳେ ଅମଳ କରିଛି ପୂରା ଚଉଷଠି ମସଲା ଗୁଣ୍ଡି…।

ସମ୍ବନ୍ଧିତ ଖବର