‘ସିମ୍ବା’ରେ ସୁପରଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ତାଙ୍କର ନୂଆ ସିନେମା ‘ସିମ୍ବା’ରେ ଅଜୟ ଦେବଗନଙ୍କ ପରେ ଆଉ ଜଣେ ସୁପରଷ୍ଟାରଙ୍କୁ ବି ସାମିଲ କରି ଦେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି। ଏହି ସୁପରଷ୍ଟାର ଜଣକ ହେଲେ ଅକ୍ଷୟ କୁମାର।

ଶୁଣିବାକୁ ମିଳୁଛି ଯେ ଅକ୍ଷୟ କୁମାରଙ୍କ ଉପରେ ଗୋଟିଏ ଦୃଶ୍ୟର ସୁଟିଂ ମଧ୍ୟ କରିସାରିଛନ୍ତି ରୋହିତ ସେଟ୍ଟୀ। ‘ସିମ୍ବା’ ରେ ଅକ୍ଷୟ କୁମାର ଅତିଥି କଳାକାର ରୂପେ ନଜର ଆସିବେ। କିନ୍ତୁ ଏଥିରେ ତାଙ୍କ ଭୂମିକାଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ଏ ସଂପର୍କରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ କିଛି ଖୋଲାଖୋଲି କହୁ ନାହାନ୍ତି। କାରଣ ଅକ୍ଷୟ କୁମାରଙ୍କୁ ଦର୍ଶକ ସରପ୍ରାଇଜ୍‌ ଭାବେ ‘ସିମ୍ବା’ରେ ଦେଖିବାକୁ ପାଇବେ। ରୋହିତ ସେଟ୍ଟୀ ‘ସିମ୍ବା’ ପରେ ଅକ୍ଷୟ କୁମାରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିନେମାର ସୁଟିଂ ଆଗାମୀ ବର୍ଷ ମଇ ବା ଜୁନ୍‌ ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି।

ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀଙ୍କ ବନ୍ଧୁତା ଆଜିକାର ନୁହେଁ। ସେ ଦୁହେଁ ପ୍ରାୟ ୨୮ ବର୍ଷ ହେବ ପରସ୍ପରକୁ ଭଲଭାବେ ଜାଣନ୍ତି। ସେତେବେଳେ ଅକ୍ଷୟ କୁମାର ‘ସୌଗନ୍ଧ’ ଓ ‘ସୁହାଗ୍‌’ ଭଳି ସିନେମାରେ ହିରୋ ଥିଲେ ଓ ରୋହିତ ସେହି ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର