ଆଜି ହେଉଛି ଓଡ଼ିଆ ଚଳଚ୍ଚିତ୍ର ତଥା ଆଧୁନିକ ସଙ୍ଗୀତ ଜଗତର ପ୍ରଖ୍ୟାତ ସଙ୍ଗୀତକାର-ଗାୟକ-ଗୀତିକାର ଅକ୍ଷୟ ମହାନ୍ତିଙ୍କର ଜନ୍ମ ଦିନ। ଏହି ଅବସରରେ ତାଙ୍କ ସଂପର୍କୀତ କିଛିି କଥା ସ୍ମରଣ କରୁଛୁ।
ଗାୟକଭାବେ ଅକ୍ଷୟ ମହାନ୍ତିଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ‘ମା’।
ତାଙ୍କୁ ପ୍ରଥମେ ‘ମଲା ଜହ୍ନ’ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା।
ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ନିର୍ଦ୍ଦେଶିତ‘ କିଏ କାହାର’ ,‘କିଏ ଜିତେ କିଏ ହାରେ’ ଭଳି ସିନେମାରେ ଅକ୍ଷୟ ମହାନ୍ତି ସ୍ୱର ସଂଯୋଜନା କରିଥିଲେ ବି ଏହି ଯୋଡିଙ୍କର ଅନ୍ୟ ଏକ ସିନେମା ‘ରଘୁ ଅରକ୍ଷିତ’ ମୁକ୍ତିଲାଭ କରିପାରି ନଥିଲା।
ଅକ୍ଷୟ ମହାନ୍ତି ବରିଷ୍ଠ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଓଡ଼ିଆ ଛବିରେ ସ୍ୱର ସଂଯୋଜନା କରିଥିଲେ। ଏହାର ଶୀର୍ଷକ ହେଲା ‘ସ୍ୱପ୍ନସାଗର’। ତେବେ ତାଙ୍କ ପାଇଁ ବହୁ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ।
ସେ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ମାତ୍ର ଦୁଇଟି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ହେଲା ‘ଏଇ ଆମ ସଂସାର’ ଏବଂ‘ ସୁନା ଭାଉଜ’।
ଅକ୍ଷୟ ମହାନ୍ତି ଓଡ଼ିଆ ସିନେଜଗତର ଅନ୍ୟତମ ବିଖ୍ୟାତ ନିର୍ଦ୍ଦେଶକ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଓଡ଼ିଆ ଛବିରେ ସ୍ୱର ସଂଯୋଜନା କରିଥିଲେ। ଏହାର ଶୀର୍ଷକ ହେଲା ‘ତୁଣ୍ଡ ବାଇଦ’।
ସେ ଓଲିଉଡର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ମହମ୍ମଦ୍ ମହସୀନଙ୍କ ନିର୍ଦ୍ଦେଶିତ ବେଶ କେତୋଟି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ମହସୀନ୍- ଅକ୍ଷୟଙ୍କ ଯୋଡି ଏକଦା ହିଟ୍ ହୋଇଥିଲା। ଏହି ଯୋଡିଙ୍କର ସିନେମା ମଧ୍ୟରେ ରହିଛି ‘ଦଣ୍ଡାବାଳୁଙ୍ଗା’,ଜଗା ହାତରେ ପଘା,ଚକା ଭଉଁରୀ, ଏଇତ ଦୁନିଆ,ମମତାର ଡୋରୀ, ତୋ’ ବିନୁ ଅନ୍ୟ ଗତି ନାହିଁ ଏବଂ ଲକ୍ଷ୍ମଣ ରେଖା’ ଇତ୍ୟାଦି। ପ୍ରଖ୍ୟାତ ସଙ୍ଗୀତକାର ମହମ୍ମଦ୍ ମହସୀନଙ୍କ ସହ ସର୍ବାଧିକ ସିନେମାରେ କାମ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ଷୟ ମହାନ୍ତି ଓଲିଉଡର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ବେଶ କେତୋଟି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଗୁଡିକ ହେଲା ‘ସୁନା ଚଢ଼େଇ’, ପରଦେଶୀ ଚଢ଼େଇ,ଭୀଷ୍ମ ପ୍ରତିଜ୍ଞା,ଆମ ଗର ଆମ ସଂସାର ଆଦି ଉଲ୍ଲେଖନୀୟ।
ଓଲିଉଡର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର୍ ରାଜୁ ମିଶ୍ର ନିଜେ ଜଣେ ସଙ୍ଗୀତକାର ହୋଇଥିଲେ ବି ସେ ତାଙ୍କ ନିର୍ଦ୍ଦେଶିତ ଛବି‘ ଜୋର ଯା’ର ମୁଲକ ତାର’, ପୁଅ ମୋର କଳାଠାକୁର’, ଚକା ଆଖି ସବୁ ଦେଖୁଛି’,ଏବଂ ‘ଆସୁଚି ମୋ’ କାଳିଆ ସୁନା’ ଆଦି ସିନେମାରେ ଅକ୍ଷୟ ମହାନ୍ତିଙ୍କୁ ସ୍ୱର ସଂଯୋଜନାର ଦାୟିତ୍ୱ ଅର୍ପଣ କରିଥିଲେ। ଆଉ ଏହି ସିନେମାର ଗୀତ ବି ହିଟ୍ ହୋଇଥିଲା।
ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶିତ ତଥା ପ୍ରଥମ ମୁକ୍ତିପ୍ରାପ୍ତ ସିନେମା‘ ଦଇବଦଉଡି’ରେ ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତିଙ୍କୁ ସ୍ୱର ସଂଯୋଜନାର ଦାୟିତ୍ୱ ଅର୍ପଣ କରିଥିଲେ। ଏହାର ଗୀତ ହିଟ୍ ହେବାପରେ ପୁଣି ହର ଏବଂ ଅକ୍ଷୟ ଏକାଠି ‘ଚକାଡୋଳା କରୁଚି ଲୀଳା’, କପାଳ ଲିଖନ’ ଆଦି ସିନେମାରେ କାମ କରିଥିଲେ।