ଜାଣନ୍ତୁ କେଉଁ କାରଣରୁ ଅକ୍ଷୟ କୁମାର ଓ ସଲମାନ୍‌ ଖାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି ?

ମୁମ୍ବାଇ:ବଲିଉଡରେ ଏବେ ଭାରତ କୁମାର ହେବା ପାଇଁ କେତେକ ନାୟକ ପ୍ରୟାସ ଆରମ୍ଭ କରିଛନ୍ତିି। ଏହାକୁ ନେଇ ବଲିଉଡର ଦୁଇ ସୁପର ଷ୍ଟାର୍‌ ଅକ୍ଷୟ କୁମାର ଓ ସଲମାନ୍‌ ଖାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି । ସେ ଯାହା ହେଉ ନା କାହିଁକି ଦର୍ଶକ ଅକ୍ଷୟ କୁମାରଙ୍କ ଭାରତ୍‌ କୁମାର ଭାବେ ସ୍ୱୀକାର କରି ସାରିଲେଣି । କାରଣ ସେ ଉଭୟ ପରଦା ଉପରେ ଓ ପରଦା ପଛରେ ଦେଶପ୍ରେମ ମନୋଭାବର ପରିଚୟ ଦେଇ ସାରିଲେଣି । ବିଶେଷ କରି ରୁସ୍ତମ, ବେବି, ଏୟାର ଲିଫ୍‌ଟ, ଟଏଲେଟ୍‌ ଏକ ପ୍ରେମ୍‌ କଥା ଭଳି ସିନେମାରେ ଦର୍ଶକ ଅକ୍ଷୟଙ୍କୁ ଏତେ ପସନ୍ଦ କରିଛନ୍ତି ତାଙ୍କୁ ଭାରତ କୁମାର କହିବା ଆରମ୍ଭ କରି ଦେଲେଣି ।
ଏଣେ ତାଙ୍କ ଅଭିନୀତ ତଥା ମୁକ୍ତ ପ୍ରତୀକ୍ଷିତ ସିନେମା ‘ଗୋଲଡ୍‌’ ,‘ ପ୍ୟାଡମ୍ୟାନ୍‌’ ଓ ‘ କେସରୀ’ରେ ବି ଦେଶପ୍ରେମ ଓ ସମାଜପ୍ରେମୀ ମନୋଭାବ ସଂପନ୍ନ ନାୟକ ଭୂମିକାରେ ଦେଖା ଦେବେ ଅକ୍ଷୟ କୁମାର । ରୀମା କାଗ୍‌ତିଙ୍କ ନିର୍ଦ୍ଦେଶିତ ‘ଗୋଲଡ୍‌’ ରେ ଅକ୍ଷୟ ଜଣେ ହକି କୋଚ୍‌ ଦଲବୀର ସିଂହଙ୍କ ଭୂମିକାରେ ଅଛନ୍ତି, ଯିଏ କି ଭାରତର ହକି ଦଳକୁ ଅଲମ୍ପିକ୍‌ ସ୍ୱର୍ଣ୍ଣ ପଦକ ଜିତାଇବାରେ ସଫଳ ହୋଇଛନ୍ତି । ଠିକ୍‌ ସେହିପରି ଇତିହାସ ପ୍ରସିଦ୍ଧ ସାରାଗଢୀ ଯୁଦ୍ଧ ଆଧାରିତ ସିନେମା ‘କେସରୀ’ରେ ବି ଟାଇଟଲ ରୋଲରେ ନଜର ଆସିବେ ଅକ୍ଷୟ ।

ଅପରପକ୍ଷରେ ସଲମାନ୍‌ ଖାନ୍‌ ‘ ଭାରତ’ ଟାଇଟଲ୍‌ରେ ନିର୍ମାଣାଧୀନ ଏକ ସିନେମାରେ ନାୟକ ଭାବେ ପରଦାକୁ ଆସିବେ । ଏଥିରେ ୧୯୪୭ ରୁ ୨୦୦୨ ଯାଏଁ ଭାରତବର୍ଷର ରୂପ ରେଖା ପ୍ରଦର୍ଶନ କରୁଥିବା ଜଣେ ସାଧାରଣ ଲୋକ ଭୂମିକାରେ ଦେଖା ଦେବେ ସଲମାନ୍‌ । ଏହା ୨୦୧୯ ଇଦ ଅବସରରେ ରିଲିଜ୍‌ ହେବ। ଠିକ୍‌ ସେହିପରି ‘ ଟାଇଗର ଜିନ୍ଦା ହେ ’ ରେ ବି ସଲମାନ ଖାନଙ୍କୁ ଦେଶଭକ୍ତ ଭୂମିକାରେ ଦେଖିବାକୁ ପାଇଛନ୍ତି । ଏହା ପୂର୍ବରୁ ସେ ବଜରଙ୍ଗୀ ଭାଇଜାନ, ‘ ସୁଲତାନ୍‌’ ଓ ‘ଏକ୍‌ ଥା ଟାଇଗର୍‌ ’ ଭଳି ସିନେମାରେ ବି ଦେଶପ୍ରେମୀ ଭୂମିକା ନିଭାଇଛନ୍ତି ।

photo-youtube

ଏଠାରେ ସୂଚନାଯୋଗ୍ୟ ଯେ ବଲିଉଡର ପ୍ରଥମ ମିଷ୍ଟର ଭାରତ ହେଲେ ମନୋଜ କୁମାର । ସେ ତାଙ୍କ ଅଭିନୀତ ଅନେକ ଛବିରେ ନାମ ରଖିଥିଲେ ଭାରତ । ଆଉ ସବୁଠୁଁ ବଡ଼ କଥା ହେଲା ଯେ ମନୋଜ କୁମାରଙ୍କ ଅଭିନୀତ ଫିଲ୍ମ ଗୁଡ଼ିକରେ ଦେଶାତ୍ମବୋଧକତାର ଛାପ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକ ସାଦରେ ଗ୍ରହଣ ମଧ୍ୟ କରିଥିଲେ । ଶହୀଦ୍‌, ପୂରବ ଔର ପଶ୍ଚିମ୍‌ , ଉପକାର୍‌ , କ୍ରାନ୍ତି ଏବଂ ରୋଟି ଔର ମକାନ୍‌ ଏହାର ଜ୍ୱଳନ୍ତ ଉଦାହରଣ । ଏ ଦୁଇ ନାୟକ ଅକ୍ଷୟ ଏବଂ ସଲମାନ୍‌ କ’ଣ ମନୋଜ କୁମାରଙ୍କ ସ୍ଥାନ ନେଇ ପାରିବେ ତାକୁ ନେଇ ସମସ୍ତଙ୍କର ସନ୍ଦେହ ଅବଶ୍ୟ ରହିଛି।

ସମ୍ବନ୍ଧିତ ଖବର