ସ୍ତନ୍ୟପାନ କରାଇବା ବେଳେ ରାହା କରୁଥିବା ଏହି କାମ ମୋତେ ଖୁବ ପସନ୍ଦ: ଆଲିଆ

ମୁମ୍ବାଇ: ବିବାହର ୭ମାସ ପରେ ମା’ ବନିଥିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ନଭେମ୍ବର ୬, ୨୦୨୨ରେ  ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଥିଲା। ଜେଜେ ମା’ ନୀତୁ କପୁର ନାତୁଣୀର ନାମକରଣ କରି ରାହା କପୁର ରଖିଥିଲେ। ରଣବୀର ଓ ଆଲିଆଙ୍କ ଜୀବନରେ ରାହା ଆସି ଦୁହିଁଙ୍କ ଜୀବନରେ ଢ଼େର ସାରା ଖୁସି ଭରିଦେଇଥିବା ଅନେକ ଇଭେଣ୍ଟରେ କହିଛନ୍ତି ଏହି ଦମ୍ପତି।

ଏବେ ଆଲିଆ ସ୍ତନ୍ୟପାନ କରାଇବା ବେଳେ ରାହା କରୁଥିବା କାମ ବିଷୟରେ କହି ଏହା ତାଙ୍କୁ ବହୁତ ଖୁସି କରାଇଥିବା ଜଣାଇଛନ୍ତି।ହାରପର୍ସ ବଜାର ଆରବକୁ ଦେଇଥିବା ଏକ ସାକ୍ଷାତକାରରେ ଆଲିଆଙ୍କୁ ପଚରାଯାଇଥିଲା ଯେ ଏହି ସପ୍ତାହରେ ତାଙ୍କ ସହ ଘଟିଥିବା ସବୁଠୁ ସର୍ବୋତ୍ତମ ଘଟଣା କ’ଣ? ଏହାର ଉତ୍ତରରେ ଅଭିନେତ୍ରୀ ଆଲିଆ କହିଥିଲେ, ‘ମୋ ଝିଅ ଏବେ ମୋ ମୁହଁକୁ ସ୍ପର୍ଶ କରିବା ଆରମ୍ଭ କରିଛି। ମୁଁ ଭାବୁଛି ଗତ ସପ୍ତାହରେ ମୋ ସହିତ ଘଟିଥିବା ଘଟଣାଗୁଡ଼ିକ ମଧ୍ୟରୁ ଏହା ହେଉଛି ସର୍ବୋତ୍ତମ ଘଟଣା। ଏବେ ମୁଁ ରାହାକୁ ସ୍ତନ୍ୟପାନ କରାଇଲେ, ସେ ତୁରନ୍ତ ସ୍ତନ୍ୟପାନ କରି ମୋ ଆଡକୁ ଚାହୁଁଛି ଏବଂ ମୋ ମୁହଁକୁ ସ୍ପର୍ଶ କରୁଛି। ଏହା ଆମ ଦୁହିଁଙ୍କ ମଧ୍ୟରେ ଏକ ରୋମାଣ୍ଟିକ୍ ମୁହୂର୍ତ୍ତ ପରି। ପ୍ରକୃତରେ ଏହା ମୋ ପାଇଁ ଏହି ସପ୍ତାହରେ ଘଟିଥିବା ସର୍ବୋତ୍ତମ ଘଟଣା।

ସମ୍ବନ୍ଧିତ ଖବର