କମ୍ ସ୍କ୍ରିନ ସ୍ପେସ ପାଇଁ ନୁହେଁ, ଏହି ବ୍ୟକ୍ତିଗତ କାରଣ ପାଇଁ ‘ଆରଆରଆର’ ପୋଷ୍ଟ ହଟାଇଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ କିଛି ଦିନ ତଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଶୁଣିବାକୁ ମିଳିଥିଲା ଯେ, ଆଲିଆ ଭଟ୍ଟ ଆରଆରଆରର ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ଉପରେ ଅସନ୍ତୋଷ ଅଛନ୍ତି। ଆରଆରଆରର ଫାଇନଲ କଟରେ ମିଳିଥିବା କମ୍ ସ୍କ୍ରିନ ସ୍ପେସକୁ ନେଇ ଆଲିଆ ଖପ୍ପା ହୋଇଯାଇଛନ୍ତି। ସେଥିପାଇଁ ଆଲିଆ ଆରଆରଆର ସିନେମା ସହିତ ଜଡ଼ିତ ସମସ୍ତ ପୋଷ୍ଟ ନିଜର ଇନଷ୍ଟା ଆକାଉଣ୍ଟରୁ ଡିଲିଟ କରିଦେଇଛନ୍ତି। ଏହା ଉପରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଥିବା ବେଳେ ଏବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଲିଆ ଭଟ୍ଟ।

ଇନଷ୍ଟା ଷ୍ଟାଟସ ଜରିଆରେ ସେ ଲେଖିଛନ୍ତି ଯେ, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କିଛି ନଜାଣି ଏଭଳି ମିଥ୍ୟା ପ୍ରଚାର କରନ୍ତୁ ନାହିଁ। ଏହା ନୂଆ ନୁହେଁ। ଆଗରୁ ମଧ୍ୟ ମୁଁ ପୋଷ୍ଟ କରିଥିବା ଭିଡିଓ ହଟାଏ। ମୋ ଇନଷ୍ଟା ପ୍ରୋଫାଇଲକୁ ପରିଷ୍କାର ଦେଖାଇବା ପାଇଁ ମୁଁ ଏଭଳି କ‌ରେ। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ। ମୁଁ ଚିରଦିନ ପାଇଁ କୃତଜ୍ଞ ଯେ ମୁଁ ‘ଆରଆରଆର’ ଭଳି ଏକ ଫିଲ୍ମର ଅଂଶ ହେବାର ସୁଯୋଗ ପାଇଲି। ମୋତେ ସୀତାର ଚରିତ୍ର ଭଲ ଲାଗିଥିଲା, ରାଜାମୌଲି ସାରଙ୍କ ନିର୍ଦ୍ଦେଶନା ଭଲ ଲାଗିଥିଲା, ତାରକ ଏବଂ ଚରଣଙ୍କ ସହ କାମ କରିବା ମଧ୍ୟ ମୋତେ ଭଲ ଲାଗିଥିଲା। ଏହି ଚଳଚ୍ଚିତ୍ର କରି ମୁଁ ପାଇଥିବା ଅଭିଜ୍ଞତାକୁ ମୁଁ ଭଲପାଏ।

ସେ ଆହୁରି ଲେଖିଛନ୍ତି ଯେ, ଗୁଜବକୁ ସ୍ପଷ୍ଟ କରିବାକୁ ମୁଁ ଆଗକୁ ଆସିବା ପଛର ଏକମାତ୍ର କାରଣ ହେଉଛି ରାଜାମୌଲି ଏବଂ ତାଙ୍କ ଟିମ ଏହି ସୁନ୍ଦର ଚଳଚ୍ଚିତ୍ରକୁ ଜୀବନ୍ତ କରିବା ପାଇଁ ବହୁ ବର୍ଷ ପରିଶ୍ରମ କରିଛନ୍ତି ଏବଂ ଚଳଚ୍ଚିତ୍ରକୁ ନେଇ କୌଣସି ଭୁଲ ତଥ୍ୟ ଲୋକେ ଜାଣନ୍ତୁ ବୋଲି ମୁଁ ଚାହ‌େଁ ନାହିଁ।

ସମ୍ବନ୍ଧିତ ଖବର