ମୁମ୍ବାଇ: ବିବାହର ୭ମାସ ପରେ ମା’ ବନିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ନଭେମ୍ବର ୬ରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଥିଲା। ତେବେ ଶିଶୁକନ୍ୟା ଆସିବା ପରେ ଝିଅର ନାଁ କ’ଣ ରଖିବେ ଏନେଇ କପୁର ପରିବାର ୨ସପ୍ତାହ ହେଲା ଆଲୋଚନା କରୁଥିଲେ। ଶେଷରେ ଜେଜେ ମା’ ନୀତୁ କପୁର ନାତୁଣୀର ନାମକରଣ କରିଥିବା ଜଣାପଡ଼ିଛି। ଏବିଷୟରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ।

Advertisment

ନାଁ ଘୋଷଣାର ପୋଷ୍ଟ ସେୟାର କରି ଆଲିଆ ଲେଖିଛନ୍ତି, ଝିଅର ନାଁ ହେଉଛି ରାହା। ରାହାଙ୍କ ଜେଜେ ମା’ ଦେଇଥିବା ଏହି ନାଁର ଅନେକ ଅର୍ଥ ରହିଛି। ଏଭଳି ଲେଖିବା ସହ ସେ ବିଭିନ୍ନ ଭାଷାରେ ଏହି ନ‌ାଁର ଅର୍ଥ କ’ଣ ତାହା ଆଲିଆ ଲେଖିଥିବା ଦେଖାଯାଇଛି।

ଚଳିତବର୍ଷ ଏପ୍ରିଲରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଦୁହେଁ ସେମାନଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ଅନ୍ତସତ୍ତ୍ବା ଥିବା ସମୟରେ ମଧ୍ୟ ଆଲିଆ ଖୁବ ସକ୍ରିୟ ରହିଥିଲେ। ଗର୍ଭବତୀ ଥାଇ ବି ଆଲିଆ ନିଜର କାମ ଜାରି ରଖିଥିବା ଦେଖାଯାଇଥିଲା। ଗର୍ଭଧାରଣର ପ୍ରଥମ ପର୍ଯ୍ୟାୟରେ ସେ ଏକ ହଲିଉଡ ଫିଲ୍ମର ସୁଟିଂ କରିଥିବା ବେଳେ ପରେ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରୁଥିବାର ନଜର ଆସିଥିଲେ। ଗର୍ଭବତୀ ଥାଇ ବି ‌ସେ ବିଭିନ୍ନ ରାଜ୍ୟକୁ ଯାଇ ଫିଲ୍ମର ପ୍ରମୋସନ କରିଥିଲେ। ଏମଧ୍ୟରେ ନେଟଫ୍ଲିକ୍ସରେ ତାଙ୍କର ଏକ ଫିଲ୍ମ ‘ଡାର୍ଲିଙ୍ଗ’ସ ରିଲିଜ ହୋଇଥିଲା। ସେ ଏହାର ମଧ୍ୟ ପ୍ରଚାର କରିଥିଲେ।