ନୂଆଦିଲ୍ଲୀ: ଗତବର୍ଷ  ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଶୁଭ ରହିଥିବା କୁହାଯାଉଛି। କାରଣ ସେ ୨୦୨୨ ଏପ୍ରିଲ ୧୪ ତାରିଖରେ ରଣବୀରଙ୍କୁ ବିବାହ କରିଥିଲେ। ବିବାହର ୭ମାସ ପରେ ସେ ମା’ ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ। ନିକଟରେ ଆଲିଆ କନ୍ୟା ସନ୍ତାନର ମା’ ହୋଇଛନ୍ତି।

Advertisment

ଆଲିଆ ଏକ ସାକ୍ଷାତକାରରେ ନିଜ ଅନ୍ତସତ୍ତ୍ବା ସମୟ କେମିତି ଥିଲା ସେ ବିଷୟରେ ଆଲୋଚନା କରିଛନ୍ତି।  ଆଲିଆ କହିଛନ୍ତି, ‘ମୁଁ ନିଜକୁ ସୀମିତ ରଖିବା ଦିଗରେ ବିଶ୍ବାସ କରେ ନାହିଁ। ଯେପର୍ଯ୍ୟନ୍ତ କୌଣସି ଶାରୀରିକ ଅସୁବିଧା ହୋଇନାହିଁ, ସେ ପର୍ଯ୍ୟନ୍ତ ମୁଁ କାମ କରିଥାଏ।  କାମ ଚାଲିଥିବା ବେଳେ ମୁଁ ଅନ୍ତସତ୍ତ୍ବା ଥିବା ଜାଣିବା ପରେ ବିଚଳିତ ହୋଇପଡ଼ିଥିଲି । କେମିତି କାମ ଆଉ ନିଜକୁ ସମ୍ଭାଳିବି କିଛି ବୁଝି ପାରି ନଥିଲି।

କାରଣ ସାଧାରଣ ମଣିଷ କାମ କରିବା ଆଉ ଜଣେ ଅନ୍ତସତ୍ତ୍ବା ମଣିଷ କାମ କରିବା ଭିତରେ ବହୁତ ପାର୍ଥକ୍ୟ ରହିଥାଏ। ଏହା ସତ୍ତ୍ବେ ବି ମୁଁ କାମ ଓ ନିଜର ଶରୀର ଓ ସନ୍ତାନକୁ ପ୍ରାଥମିକତା ଦେଇଥିଲି।  କାରଣ ଅନ୍ତସତ୍ତ୍ବା ହେବା ଜୀବନରେ ପ୍ରଥମ ଥିଲା, ତେଣୁ ପୂର୍ବରୁ କିଛି ଜଣା ନଥିଲା। ତେଣୁ ମୁଁ ସ୍ଥିର କରିଥିଲି ଯାହାବି କିଛି କରେ ମୋ ନିଜ ଶରୀର ଉପରେ ବିଶେଷ ଧ୍ୟାନ ଦେବି। କାମ କରିବା ଯେତିକି ଜରୁରୀ ଥିଲା ସେତିକି ମୋର ଶିଶୁ ଓ ଶରୀର ଉପରେ ଧ୍ୟାନ ଦେବା ବି ଆବଶ୍ୟକ ରହିଥିଲା।

ଅନ୍ତସତ୍ତ୍ବାର ସମୟରେ ମୋତେ କୌଣସି ଅସୁବିଧା ହୋଇନାହିଁ। ହଁ ଅନ୍ତସତ୍ତ୍ବାର ପ୍ରଥମ କିଛି ସପ୍ତାହ ମୋତେ ଥକ୍କା ଲାଗୁଥିଲା, ମୁଣ୍ଡ ବୁଲାଇବା ସହିତ ବାନ୍ତି ବି ଲାଗୁଥିଲା। କିନ୍ତୁ ମୁଁ ଏବିଷୟରେ କାହାକୁ କିଛି କହି ନଥିଲି। କାରଣ ଅନ୍ତସତ୍ତ୍ବା ଥିବା ଜାଣିବାର ୧୨ ସପ୍ତାହ ପର୍ଯ୍ୟନ୍ତ କାହାକୁ କିଛି କହିବା କଥା ନୁହେଁ। ଏକଥା ବି ଆପଣମାନେ ଜାଣିଛନ୍ତି। ତେଣୁ ନିଜ ଉପରେ ଧ୍ୟାନ ଦେଇ ମୁଁ କାମ କରି ଚାଲିଥିଲି। ଆଉ ସମୟ କେମିତି ବିତିଗଲା ଜଣା ବି ପଡ଼ିଲା ନାହିଁ। କାମ ସହିତ କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ବି ପାଇଗଲି।’