ଏମର୍ଜେନ୍‌ସି ପାଇଁ ସବୁ ସମ୍ପତ୍ତି ବନ୍ଧା

ନି ଜର ଏକ ଅଭିଳାଷ ପୂରଣ ପାଇଁ କିପରି ଜୀବନରେ ହାସଲ କରିଥିବା ସବୁ କିଛିକୁ ବାଜି ଲଗାଇ ଦିଆଯାଏ, ତାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ଅଭିନେତ୍ରୀ କଙ୍ଗନା ରନୌତ। ତାଙ୍କର ଆଗାମୀ ଫିଲ୍ମ ‘ଏମର୍ଜେନ୍‌ସି’ର ପ୍ରଯୋଜନା ପାଇଁ ସେ ତାଙ୍କର ଯାବତୀୟ ସମ୍ପତ୍ତିକୁ ବନ୍ଧା ପକାଇ ଦେଇଥିବା କହିଛନ୍ତି। ଏପରିକି ଫିଲ୍ମଟିର ଶୁଭମୁକ୍ତି ପରେ ସେ ଯଦି ଦାଣ୍ଡର ଭିକାରୁଣୀ ହୋଇଯାଆନ୍ତି ତେବେ ବି ସେ ଆଦୌ ମନସ୍ତାପ କରିବେନି ବୋଲି ଏକ ସାକ୍ଷାତକାରରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। ଅଭିନୟ ଜଗତରେ ପାଦ ଦେଲା ବେଳେ ହାତରେ ମାତ୍ର ୫୦୦ ଟଙ୍କା ଧରି ସେ ମୁମ୍ବାଇ ସହରକୁ ଆସିଥିଲେ। ତେଣୁ ଆଜି ସେ ଯାହା ବି କିଛି ରୋଜଗାର କରିଛନ୍ତି ସବୁ ସେଇ କଳାରୁ। ଯଦି ସେହି କଳା ପାଇଁ ତାଙ୍କୁ ପୁଣି ଥରେ ନିଃସ୍ବ ହେବାକୁ ପଡ଼େ, ତେବେ ସେ କାହିଁକି ମନ ଊଣା କରିବେ ବୋଲି ନିଜକୁ ସାନ୍ତ୍ବନା ବାଣୀ ଶୁଣାଇଛନ୍ତି।

‘ଏମର୍ଜେନ୍‌ସି’ ସିନେମାର ନିର୍ଦ୍ଦେଶିକା ତଥା ପ୍ରଯୋଜିକା ସାଜିବା ସହ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଥିବା ଏହି ବିବାଦୀୟ ଅଭିନେତ୍ରୀ। ଗତ ସପ୍ତାହରେ ଉକ୍ତ ଫିଲ୍ମର ପ୍ରମୁଖ ନାୟିକା ଭାବରେ ସୁଟିଂ ସାରି ସେ ସିନେମାଟିର ନିର୍ମାଣରେ ସମ୍ମୁଖୀନ ହୋଇଥିବା ନାନା ସମସ୍ୟା ସମ୍ପର୍କରେ ଆଭାସ ଦେଇଥିଲେ।

ଆସାମ ସମେତ ବିଭିନ୍ନ ସ୍ଥାନରେ ଏହାର ଚିତ୍ରୋତ୍ତୋଳନ ବେଳେ ତାଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ତେବେ ତାଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ତାଙ୍କର ଏହି ବହୁ ଅଭିଳଷିତ ପ୍ରକଳ୍ପର ନିର୍ମାଣ ସାରିବା ପାଇଁ ସମସ୍ତ ସମ୍ପତ୍ତିକୁ ବନ୍ଧା ପକାଇବା। ଏଥି ସହିତ ସୁଟିଂ ଚାଲୁଥିବା ବେଳେ ବିଭିନ୍ନ ବ୍ୟାଙ୍କ ସହ ଏଥିପାଇଁ ସମୟ କାଢ଼ି ଯୋଗାଯୋଗ ରଖିବା। ତେବେ ଆଗରୁ ମାତ୍ର ଦଶ ମିନିଟ୍‌ ଭିତରେ ସେ ଏପରି ବଡ଼ ବଡ଼ ନିଷ୍ପତ୍ତି ନେଇଥିବାରୁ ଏଥର ମଧ୍ୟ ଆଦୌ ବିଚଳିତ ହୋଇନଥିଲେ। ସବୁକିଛି ସୁରୁଖୁରୁରେ ସରିଛି ବୋଲି ଏବେ ସେ ଆଶ୍ବସ୍ତ ଅଛନ୍ତି।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ରୋମାଞ୍ଚଭରା ହିନ୍ଦୀ ପ୍ରେମ କାହାଣୀ ‘ଗ୍ୟାଙ୍ଗଷ୍ଟର: ଏ ଲଭ୍‌ ଷ୍ଟୋରି’ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ପ୍ରଥମ ପଦାର୍ପଣରେ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର ସମ୍ମାନ ଲାଭ କରିଥିଲେ। ନାନା ଘାତପ୍ରତିଘାତ ମଧ୍ୟରେ ଦର୍ଶକଙ୍କୁ ୫୦ ପାଖାପାଖି ସିନେମା ପରଶିବା ସହ ୧୫ଟି ଜାତୀୟ ସ୍ତରର ପୁରସ୍କାର ସମେତ ପଦ୍ମଶ୍ରୀ ସମ୍ମାନ ସେ ପାଇସାରିଛନ୍ତି। କଙ୍ଗନାଙ୍କର ସଦ୍ୟତମ ପ୍ରକଳ୍ପ ହେଉଛି ‘ଏମର୍ଜେନ୍‌ସି’। ଗତ ସତୁରି ଦଶକର ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଏହି ସିନେମାରେ ଇନ୍ଦିରାଙ୍କ ଭୂମିକାରେ ସ୍ବୟଂ କଙ୍ଗନା ଥିବା ବେଳେ ବିରୋଧୀ ଦଳମାନଙ୍କର ନେତୃତ୍ବ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅନୁପମ ଖେରଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର