ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ ଏବଂ ଅକ୍ଷୟ କୁମାର ବିଶ୍ୱର ୧୦୦ ଜଣ ଅଧିକ ପାରିଶ୍ରମିକ ନେଉଥିବା କଳାକାରଙ୍କ ତାଲିକାରେ ନିଜ ନାମ ଲେଖାଇଛନ୍ତି। ଏହି ତାଲିକାରେ ରୀତିମତ ଭାବେ ରହୁଥିବା ଶାହାରୁଖ ଖାନ କିନ୍ତୁ ଏଥର ଦେଖିବାକୁ ମିଳିନାହାନ୍ତି। ଫୋର୍ବସ ପତ୍ରିକାରେ ପ୍ରକାଶ ପାଇଥିବା ତାଲିକା ମୁତାବକ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟି ହେଉଛନ୍ତି ଅମେରିକାନ ବକ୍ସର ଫ୍ଲେୟଡ୍ ମେ େଓ୍ଵଦର୍। ଅକ୍ଷୟ କୁମାର ୭୬ ର୍ୟାଙ୍କ୍ରେ ଥିବା ବେଳେ ସଲମାନ ଖାନ ଅଛନ୍ତି ୮୨ ର୍ୟାଙ୍କ୍ରେ। ୨୦୧୭ ମସିହାରେ କିଙ୍ଗ୍ଖାନଙ୍କ ରୋଜଗାର ପରିମାଣ ୩୮ ମିଲିୟନ ଡଲାର ଥିବା ବେଳେ ସେ ଫୋର୍ବସ ତାଲିକାରେ ୬୫ ର୍ୟାଙ୍କ୍ରେ ରହିଥିଲେ। ମାତ୍ର ଏଥର ତାଲିକାରେ ୧୦୦ ମଧ୍ୟରେ ମଧ୍ୟ ନାହାନ୍ତି ବୋଲି ଜାଣିବାକୁ ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୫୦ ବର୍ଷିଅ ବୟସ୍କ ଅକ୍ଷୟ କୁମାର ଚଳିତବର୍ଷ ୪୦.୫ ମିଲିୟନ୍ ଡଲାର ରୋଜଗାର କରିଛନ୍ତି। ଅକ୍ଷୟଙ୍କ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ ସେ ହେଉଛନ୍ତି ବଲିଉଡ୍ର ଜଣେ ଆଗଧାଡ଼ିର ନାୟକ, ଯିଏକି ସାମାଜିକଧର୍ମୀ ଚଳଚ୍ଚିତ୍ର ‘ଟଏଲେଟ୍’ ଓ ‘ପ୍ୟାଡ୍ମ୍ୟାନ୍’ ଜରିଆରେ ସମାଜକୁ ବାର୍ତ୍ତା ବାଣ୍ଟିଛନ୍ତି। ଏହାବ୍ୟତୀତ ତାଙ୍କ ରୋଜଗାରର ଉତ୍ସବ ୨୦ ଉଚ୍ଚସ୍ତରୀୟ ବ୍ରାଣ୍ଡ ଯଥା ‘ଟାଟା’ ଏବଂ ‘ଏଭରେଡ୍ଡି’।
ସେହିପରି ସଲୁ ମିଆଙ୍କ ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ଫୋର୍ବସ ପତ୍ରିକାରେ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ‘ଟାଇଗର୍ ଜିନ୍ଦା ହୈ’ ସ୍ଥାନ ପାଇଛି। ଏହା ବ୍ୟତୀତ ତାଙ୍କର ‘ସୁଜ୍କି ମୋଟର୍ସାଇକେଲ୍’, ‘କ୍ଲୋରମିଣ୍ଟ୍ ଗମ୍’ ଆଦିରେ ସଂପୃକ୍ତିକୁ ଉଲ୍ଲେଖ କରାଯାଇଛି।