ମରାଠୀ ‘ସୈରାଟ୍’ ପରେ ଯେଉଁ ଚଳଚ୍ଚିତ୍ର ଭାରତୀୟ ଜାତି ବ୍ୟବସ୍ଥାର କ୍ରୂର ଚିତ୍ରକୁ ବାସ୍ତବିକ ଢଙ୍ଗରେ ଉପସ୍ଥାପନ କରିଥିଲା ତାହା ହେଉଛି ମାରି ସେଲଭରାଜଙ୍କ ତାମିଲଭାଷୀ ‘ପେରିୟେରୁମ୍ ପେରୁମାଲ’। ଏହି ସିନେମାର ବଲିଉଡ୍ ରିମେକ୍ ହେଲା ‘ଧଡ଼କ ୨’। ଦୁଇଜଣ ଭଲ ଅଭିନେତା ଥିବା ସତ୍ତ୍ବେ, ବଲିଉଡ୍ର ଇତିହାସ ଦୃଷ୍ଟିରୁ, ଗୋଟିଏ ଚମତ୍କାର ମୌଳିକ ସିନେମାର ବଲିଉଡ୍ ରିମେକ୍ ଦର୍ଶକଙ୍କୁ ସନ୍ତୁଷ୍ଟ କରିବାର ସମ୍ଭାବନା କମ୍। ତଥାପି ‘ଧଡ଼କ ୨’ର ଟ୍ରେଲର୍ ଓ ଗୀତଗୁଡ଼ିକ ମନରେ ଆଶା ସଂଚାର କରିଥିଲା। ଏବେ ସିନେମାଟି ଦେଖିବା ପରେ ମନରେ ଦୁଇପ୍ରକାର ଦ୍ବନ୍ଦ୍ବାତ୍ମକ ଭାବନା ସୃଷ୍ଟି ହେଉଛି। ଏହା ସତ୍ତ୍ବେ ଏକ ଗୁରୁତ୍ବପୂର୍ଣ୍ଣ ସିନେମା ଭାବେ ‘ଧଡ଼କ ୨’ ଯେ ସମସ୍ତେ ଦେଖିବା ଉଚିତ, ଏଥିରେ କୌଣସି ସନ୍ଦେହ ନାହିଁ। ‘ଧଡ଼କ ୨’ର କାହାଣୀ ଆରମ୍ଭ ହେଉଛି ଚର୍ମକାର ଜାତିର ଯୁବକ ନୀଲେଶ (ସିଦ୍ଧାନ୍ତ ଚତୁର୍ବେଦୀ) ଓକିଲ ହେବାର ଆକାଂକ୍ଷା ନେଇ କଲେଜରେ ନାମ ଲେଖାଇବାରୁ। ସେଠାରେ ସେ ବିଧି (ତୃପ୍ତି ଡିମରୀ)କୁ ସହପାଠୀ ରୂପେ ପାଉଛି, ଯିଏ ଉଚ୍ଚ ଜାତିର ଜଣେ ଝିଅ। କ୍ରମେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢୁଛି। ଇତିମଧ୍ୟରେ ନୀଲେଶକୁ ତା’ର କିଛି ସହପାଠୀଙ୍କ ସମେତ ଅଧ୍ୟାପକ ମନେ ପକାଇଦେଉଛନ୍ତି ଯେ ତା’ ପାଇଁ ସେ ଶିକ୍ଷାନୁଷ୍ଠାନରେ ସ୍ଥାନ ନାହିଁ, ସେ ଆରକ୍ଷଣ ବଳରେ ସିଟ୍ଟିଏ ପାଇଯାଇଛି ଯାହା। ସମଗ୍ର ସିନେମାରେ ନୀଲେଶକୁ ଲାଞ୍ଛନା, ଅନ୍ୟାୟ ଓ ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏକ ଅତ୍ୟନ୍ତ ଭେଦଭାବପୂର୍ଣ୍ଣ ସମାଜରେ ନିଜର ଅସ୍ତିତ୍ବ ଲଢ଼େଇରେ ସେ କୌଣସିମତେ ବଞ୍ଚି ରହିଥିଲେ ହେଁ, ସେ କ’ଣ ଅନ୍ୟମାନଙ୍କ ପରି ସମୃଦ୍ଧ ହୋଇପାରିବ?
ନୀଲେଶ ଭୂମିକାରେ ଜଣେ ଦଳିତ ପିଲାର ବେଦନାକୁ ସିଦ୍ଧାନ୍ତ ଖୁବ୍ ବାସ୍ତବଧର୍ମୀ ଢଙ୍ଗରେ ଅଭିବ୍ୟକ୍ତ କରିଛନ୍ତି। ସେହିପରି ଆହ୍ବାନପୂର୍ଣ୍ଣ ଭୂମିକାରୁ ଅଭିନୟ ଆରମ୍ଭ କରିଥିବା ତୃପ୍ତି ଦୀର୍ଘ ବ୍ୟବଧାନ ପରେ ଅନୁରୂପ ଭୂମିକାଟିଏ ବାଛିଛନ୍ତି। ଆଉ ଏକ ଦୃଷ୍ଟି ଆକର୍ଷଣକାରୀ ଖଳନାୟକ (ଶଙ୍କର) ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସୌରଭ ସଚଦେବା, ଯାହାଙ୍କ ସାମୟିକ ଉପସ୍ଥିତି ମନରେ ଆତଙ୍କ ଖେଳାଇଦେବାକୁ ଯଥେଷ୍ଟ। ଏହି ସିନେମାର ଚାରିଟି ଗୀତ ମଧ୍ୟରୁ ‘ବସ୍ ଏକ ଧଡ଼କ’ ଓ ‘ଦୁନିଆ ଅଲଗ’ ଅତ୍ୟନ୍ତ ଶ୍ରୁତିମଧୁର। ମୂଳ ସିନେମାରେ ନାୟକର ସଂଘର୍ଷ ବହୁମୁଖୀ ହୋଇଥିବା ବେଳେ ‘ଧଡ଼କ ୨’ରେ ନାୟକ ପ୍ରେମ ପାଇଁ ଅଧିକ ସଂଘର୍ଷ କରୁଥିବା ଭଳି ମନେ ହେଲା। ସେନ୍ସର୍ କାଟ୍ଛାଟ ବା ଅଯଥା ବିବାଦକୁ ଏଡ଼ାଇବା ପାଇଁ ଏହା କେଉଁ ସ୍ଥାନର କାହାଣୀ ତାହା ଚଳଚ୍ଚିତ୍ରରେ ଦେଖାଯାଇନାହିଁ, ଯଦିଓ ଏହା ଉତ୍ତର ଭାରତର ଏକ ସହର ବୋଲି ସ୍ପଷ୍ଟ ଇଙ୍ଗିତ କରାଯାଇଛି।
ପୂର୍ବରୁ ‘ପେରିୟେରୁମ୍ ପେରୁମାଲ’ ଦେଖିଥିବା ଦର୍ଶକ ‘ଧଡ଼କ ୨’ ଦେଖିବା ପରେ ଏହାର କିଛି ଦିଗକୁ ପସନ୍ଦ କରିବା ସହ ଆଉ କିଛି ଦିଗକୁ ନାପସନ୍ଦ କରିବା ସ୍ବାଭାବିକ। ଉଦାହରଣ ସ୍ବରୂପ ତାମିଲ ସିନେମାର ଶେଷ ଦୃଶ୍ୟଟିରେ ମୁଖ୍ୟ ଚରିତ୍ରଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ବଳବତ୍ତର ରହିଥିଲା, କିନ୍ତୁ ସୁଖଦ ପରିସମାପ୍ତି ଲାଗି ବଲିଉଡ୍ର ଅହେତୁକ ଆକର୍ଷଣ ଯୋଗୁଁ ‘ଧଡ଼କ ୨’ର ଶେଷ ଦୃଶ୍ୟଟି ସିନେମାର ମୂଳ ବାର୍ତ୍ତାକୁ ଅନେକଟା ଦୁର୍ବଳ କରିଦେଇଛି। ସେହି ବାର୍ତ୍ତାଟି ହେଲା ଜାତି ସମସ୍ୟା ଗୋଟିଏ ଘଟଣା ବା କିଛି ବ୍ୟକ୍ତିଙ୍କ ହୃଦୟ ପରିବର୍ତ୍ତନରେ ବଦଳିଯିବ ନାହିଁ। ଅନ୍ୟପଟେ ‘ପେରିୟେରୁମ୍ ପେରୁମାଲ’ର ନାୟିକା ଚରିତ୍ରଟି ଜାତି ସଂଘର୍ଷ ବିଷୟରେ ଅଜ୍ଞ ଥିବାବେଳେ ନୂଆ ସିନେମାଟିରେ ନାୟିକା ଜାତିଜନିତ ହିଂସାକୁ ନିଜ ଆଖିରେ ଦେଖିବା ସହ ନିଜ ସ୍ବାଧୀନତାକୁ ଜାହିର କରିବାର ସାହସ କରୁଛି। କବିତାର ଅନୁବାଦ ପ୍ରକ୍ରିୟାରେ ତା’ର ଆତ୍ମା ଅନେକ ସମୟରେ ହଜିଯାଏ। ଅନେକ ସିନେମାର ରିେମକ୍ କ୍ଷେତ୍ରରେ ମଧ୍ୟ ତାହା ଅନୁଭୂତ ହୁଏ। ‘ପେରିୟେରୁମ୍ ପେରୁମାଲ’ର କାବ୍ୟିକ ଚିତ୍ରନାଟ୍ୟ ଓ କଥନ ଶୈଳୀର ଅନୁବାଦ ରୂପେ ଦେଖିଲେ ‘ଧଡ଼କ ୨’ର ଆବେଦନ ଯଦିଓ କିଛିଟା କମିଯାଇଛି, ନିର୍ଦେଶିକା ସାଜିଆ ଇକ୍ବାଲ ତଥାପି ଏହାର ଆତ୍ମାକୁ ଅତୁଟ ରଖିବାରେ ସଫଳ ହୋଇଛନ୍ତି।
‘ଧଡ଼କ ୨’
ନିର୍ଦେଶକ: ସାଜିଆ ଇକ୍ବାଲ
ମୁଖ୍ୟ ଚରିତ୍ରରେ: ସିଦ୍ଧାନ୍ତ ଚତୁର୍ବେଦୀ, ତୃପ୍ତି ଡିମ୍ରୀ, ସୌରଭ ସଚଦେବା