ଆମ ଟିଭି ନ୍ୟୁଜ୍ ଏବଂ ଏଣ୍ଟର୍ଟେନ୍ମେଣ୍ଟ ଚ୍ୟାନେ୍ର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ୍ ଚ୍ୟାନେଲ୍ ‘ଆମ ଟିଭି ମ୍ୟୁଜିକ୍’ ଲୋକାର୍ପିତ ହୋଇଯାଇଛି। ଏଥିରେ ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର ପ୍ରତିଶ୍ରୁତି ନେଇ ଚ୍ୟାନେଲ୍ଟି ସବୁ ବର୍ଗର ଶ୍ରୋତାଙ୍କ ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ୍ କର୍ତ୍ତୃପକ୍ଷ ଓ ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ଶିକ୍ଷାବିତ୍ ପ୍ରଯୋଜକ ଓ ସିନେ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ପଣ୍ଡା ଏହି ଉତ୍ସବରେ ଯୋଗଦେଇ ଚ୍ୟାନେଲ୍ର ସଫଳତା ସହ ଏହା ଲୋକଙ୍କ ମନକୁ ଆକୃଷ୍ଟ କରିବ ବୋଲି ମତ ଦେଇଥିଲେ।
ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମ୍ପ୍ରକାଶ ମହାନ୍ତିଙ୍କ ଗୀତ ‘ଜହ୍ନ ଗୋଟେ ଛୋଟ ବିସ୍କୁଟ’କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ୍. ଗଙ୍ଗାଧର ରେଡ୍ଡି, ରୋଟାରିଆନ୍ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶିଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ୍. ତେଜେଶ୍ବର ରାୟ, ଅଭିନେତା-ଗୀତିକାର ଦେବ ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆମ ଟିଭିର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଣୟ ଜେଠୀ ଚ୍ୟାନେଲ୍ର ପ୍ରଥମ ଗୀତ ‘ଛାଁକୁ ଛାଁ’ ଲୋକାର୍ପିତ କରିଥିଲେ। ଏହି ସଂଗୀତକୁ ସୁବ୍ରତ ସ୍ୱାଇଁ ଲେଖିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅନୁରାଧା ପାଣିଗ୍ରାହୀ।