ସଲମାନଙ୍କୁ ନେଇ ଫିଲ୍ମ କରିପାରନ୍ତି ଆମୀର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ଆମୀର ଖାନଙ୍କର ଦେଶବିଦେଶରେ ବହୁ ସଂଖ୍ୟାରେ ପ୍ରଶଂସକ ଥିବାବେଳେ ଉଭୟ ନିଜର ବଳିଷ୍ଠ ଅଭିନୟ ପାଇଁ ଅନେକ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି | ଏହି ଯୋଡି ପ୍ରଥମ ଏବଂ ଶେଷ ଥର ପାଇଁ କମେଡି ଫିଲ୍ମ ‘ଅନ୍ଦାଜ୍ ଅପନା ଅପ୍ନା’ରେ ନଜର ଆସିଥିଲେ ​​| ଏହି ଚଳଚ୍ଚିତ୍ର ୧୯୯୪ ମସିହାରେ ମୁକ୍ତିଲାଭ କରିଥିଲା ​​| ତେବେ ପୁଣିଥରେ ଦର୍ଶକ ଉଭୟଙ୍କୁ ଆଉ ଏକ ସିନେମାରେ ଅଭିନୟ କରୁଥିବାର ଦେଖିପାରନ୍ତି | ବାସ୍ତବରେ ନିକଟରେ ସଲମାନଙ୍କୁ ଆମୀରଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ଉଭୟ ତାରକାଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ଏବେ ଖବର ଆସିଛି ଯେ ଆମୀର ଖାନ, ସଲମାନ ଖାନଙ୍କୁ ଏକ ବଡ ଫିଲ୍ମ ଅଫର କରିଛନ୍ତି।

ସେ ସଲମାନଙ୍କ ସହ ଏକ ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ସଲମାନ ଏବଂ ଆମୀରଙ୍କ ମଧ୍ୟରେ ଅନେକ ଥର ସାକ୍ଷାତ ହୋଇଥିବାବେଳେ ଆମୀର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ଏହି ସିନେମା ନିର୍ମାଣ ହୋଇପାରେ | ସୂଚନାନୁସାରେ, ଆମୀର ଖାନ ସଲମାନ ଖାନଙ୍କୁ ଏକ ନୂଆ ଚଳଚ୍ଚିତ୍ରର ଅଫର ଦେଇଛନ୍ତି | ନିର୍ଦ୍ଦେଶକ ଆର.ଏସ୍ ପ୍ରସନ୍ନଙ୍କ ସହିତ ଆମୀର ଏବାବଦରେ ଆଲୋଚନା କରିଥିବାବେଳେ ଏବେ ସ୍କ୍ରିପ୍ଟ କାମ ଚାଲିଛି | ତେବେ ଫିଲ୍ମର କାହାଣୀ ଅନୁସାରେ ଆମୀର ଅନୁଭବ କରୁଛନ୍ତି ଯେ ସଲମାନ ଖାନ ଏହି ଭୂମିକାରେ ଅଭିନୟ କରିବା ପାଇଁ ଫିଟ୍ | ରିପୋର୍ଟରେ କୁହାଯାଇଛି ଯେ ସଲମାନ ଫିଲ୍ମ କରିବାକୁ ଆଗ୍ରହୀ ଅଛନ୍ତି। ଉଲ୍ଲେଖ ଥାଉ କି ଯେ ଆର.ଏସ୍ ପ୍ରସନ୍ନ ଫିଲ୍ମ ‘ଶୁଭ ମଙ୍ଗଲ ସାବଧାନ’ ପାଇଁ ଜଣାଶୁଣା |

ସମ୍ବନ୍ଧିତ ଖବର