ମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ନିଜର ଅଭିନୟ ଦକ୍ଷତାକୁ ନେଇ ଯେତିକି ଲୋକପ୍ରିୟ, ପ୍ରଶଂସକମାନଙ୍କୁ ତାଙ୍କର ଉତ୍ତମ ବ୍ୟବହାର ପାଇଁ ସେ ବେଶି ଲୋକପ୍ରିୟ। ନିଜର ପ୍ରଶଂସକମାନଙ୍କୁ ସବୁବେଳେ ଖୁବ୍ ଭଲ ବ୍ୟବହାର ଦେଖାଇ ଥାଆନ୍ତି ବିଗ୍ ବି। ବଚ୍ଚନ ସାହେବଙ୍କ ଫିଲ୍ମ ଦେଖିଥିବା ଅଧାରୁ ଅଧିକ ଭାରତୀୟ ତାଙ୍କର ବଡ଼ ପ୍ରଶଂସକ ହୋଇଥିବେ! ମାତ୍ର ‘ଭୂତ୍ନାଥ୍’ ପରି ଚଳଚ୍ଚିତ୍ର ତାଙ୍କୁ ଛୋଟ ପିଲାଙ୍କର ବି ପ୍ରିୟ ବନାଇ ଦେଇଛି। ବିଗ୍ ବି ତାଙ୍କ ବ୍ଲଗ୍ ପୋଷ୍ଟ୍ ଜରିଆରେ ପ୍ରଶଂସକମାନଙ୍କୁ ସୂଚନା ଓ ମନୋରଞ୍ଜନ ବାଣ୍ଟି ଚାଲିଥାନ୍ତି।
ବିଗ୍ ବିଙ୍କ ଆଜିର ବ୍ଲଗ୍ ପୋଷ୍ଟ୍ ଥିଲା ଟିକେ ନିଆରା। ସେଥିରେ ସେ ତାଙ୍କର ଜଣେ କୁନି ପ୍ରଶଂସକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। କିପରି ତାଙ୍କୁ ଭେଟିବା ପାଇଁ ଜଣେ କୁନି ପିଲା ସୁରକ୍ଷାବଳୟକୁ ଭଙ୍ଗ କରି ତାଙ୍କ ନିକଟରେ ପହଞ୍ଚିଥିଲେ ସେ ସଂପର୍କରେ ଉଲ୍ଲେଖ ଅଛି।
କେବଳ ସେତିକି ନୁହେଁ, କୁନି ପିଲା ଜଣକ ବିଗ୍ ବିଙ୍କୁ ଭେଟିବା ପରେ ତାଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ବି ମାରିଥଲା। ଅବଶ୍ୟ ବିଗ୍ ବିଙ୍କୁ କେହି ପାଦ ଛୁଇଁଲେ ସେ ପସନ୍ଦ କରନ୍ତି ନାହିଁ, ମାତ୍ର ସେହି କୁନି ପ୍ରଶଂସକ ଜଣକ ଏତେ କୌତୂକିଆ ଥିଲେ ଯେ ତାଙ୍କ ବିଷୟରେ ଉଲ୍ଲେଖ କରିବାକୁ ଏକ ସ୍ବତନ୍ତ୍ର ବ୍ଲଗ୍ ଲେଖିଥିଲେ ସେ।
ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି ‘ଏହି କୁନି ପ୍ରଶଂସକ ୪ ବର୍ଷ ବୟସରେ ‘ଡନ୍’ ଦେଖିଥିଲେ। ଆଜି ମୋତେ ଭେଟିବା ପାଇଁ ଇନ୍ଦୋରରୁ ସିଧା ଏଠାରେ ପହଞ୍ଚିଛନ୍ତି। ସେ ସଂଳାପ, ଅଭିନୟ ଓ ମୋର ଲାଇନସବୁ ଏପରି ଅବିକଳ କରି ଯାଉଥିଲେ ମୁଁ ଆଶ୍ଚର୍ଯ୍ୟ ହେଲି। ସେ ଆଣିଥିବା ମୋ ପେଣ୍ଟିଂରେ ମୁଁ ମୋର ଅଟୋଗ୍ରାଫ୍ ଦେଲି। ମୋ ପାଖକୁ ତାଙ୍କ ବାପା ପଠାଇଥିବା ପତ୍ର ବି ପଢ଼ିଲି।’