ମୁମ୍ବାଇ: ବଲିଉଡ୍ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କୁ କଥାରେ କେହି ହରାଇ ପାରିବେନି। ସୋସିଆଲ୍ ମିଡିଆରେ ସଦା ସକ୍ରିୟ ରହୁଥିବା ଅମିତାଭ ଟ୍ରୋଲ୍ର୍ସଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦେଇଥାନ୍ତି। ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଅନେକ ଟ୍ରୋଲ୍ର୍ସଙ୍କୁ ମୁହଁତୋଡ଼ ଜବାବ ଦେଇ ସାରିଥିବା ବେଳେ ନିକଟରେ ବିଗ୍ ବିଙ୍କର ଏକ ପୋଷ୍ଟ୍ ଚର୍ଚ୍ଚାରେ ରହିଛି।
ଜାଣିବାକୁ ମିଳିଛି ଯେ ବିଗ୍ ବି ବିଳମ୍ବରେ ଗୁଡ୍ ମର୍ଣ୍ଣିଂ ଉଇସ୍(ଶୁଭ ସକାଳ ଶୁଭେଚ୍ଛା) କରିଥିବାରୁ ତାଙ୍କୁ ଟ୍ବିଟର୍ରେ କିଛି ବ୍ୟବହାରକାରୀ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ସେ ପୂର୍ବାହ୍ନ ୧୧.୩୦ରେ ଶୁଭ ସକାଳ ପୋଷ୍ଟ୍ କରିଥିବାରୁ ଜଣେ ଟ୍ବିଟର୍ ବ୍ୟହାରକାରୀ ଲେଖିଥିଲେ, ‘ଆଜି ବହୁତ ବିଳମ୍ବରେ ଉଠିଲେ। ଲାଗୁଛି ଆଜିକାଲି ଦେଶୀ(ମଦ୍ୟପାନ ଉଦ୍ଦେଶ୍ୟରେ) ଜୋର୍ ଚାଲୁଛି। ୧୧.୩୦ ସମୟରେ ପ୍ରାତଃ କାଳ ପୋଷ୍ଟ୍ ହେଉଛି।’ ଏହାର ଉତ୍ତରରେ ବିଗ୍ ବି ଲେଖିଛନ୍ତି, ‘ନିଜେ ପିଉନା କିନ୍ତୁ ଅନ୍ୟଙ୍କୁ ପିଆଇ ଥାଉ ମଧୁଶାଲା।’
ସେହିପରି ଆଉ ଜଣେ ବ୍ୟବହାରକାରୀ ବିଗ୍ ବିଙ୍କ ପୋଷ୍ଟ୍ରେ ଲେଖିଥିଲେ, ‘ଆପଣଙ୍କୁ ଲାଗୁନି ଆପଣ ପ୍ରାତଃ-କାଳର ଶୁଭକାମନା ଖୁବ୍ ଶୀଘ୍ର ଦେଇଦେଲେ ବୋଲି।’ ତାହାର ଉତ୍ତରରେ ବିଗ୍ ବି ଲେଖିଛନ୍ତି, ‘ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି। ସୁଟିଂ ଆଜି ସକାଳୁ ସରିଲା। ବିଳମ୍ବରେ ଶୋଇଥିବାରୁ ବିଳମ୍ବରେ ଉଠିଲି। ତାପରେ ଶୁଭକାମନା ପଠାଇଲି। ଯଦି ଆପଣଙ୍କୁ ସମସ୍ୟାରେ ପକାଇଛି, କ୍ଷମା ଚାହୁଁଛି।’
ଅନ୍ୟ ଜଣେ ଲେଖିଛନ୍ତି, ‘ଲାଗୁଛି ଆପଣଙ୍କର ବି ଗ୍ରୀଷ୍ମ ଛୁଟି ଆରମ୍ବ ହୋଇଯାଇଛି, ସେଥିପାଇଁ ଏତେ ବିଳମ୍ବରେ ଉଠିଛନ୍ତି।’ ଅମିତାଭ ଲେଖିଛନ୍ତି, ‘ଆଜ୍ଞା ନାଇଁ, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ଥିବାରୁ ବିଳମ୍ବରେ ଉଠିଲି।’