ମୁମ୍ବାଇ: ଅକ୍ଟୋବର ୧୧ ତାରିଖ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା। ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ବିଗ୍ ବିଙ୍କ ଜନ୍ମଦିନରେ ବିଶ୍ବ ସୁନ୍ଦରୀ ବୋହୂ ଐଶ୍ବର୍ଯ୍ୟା ରାୟଙ୍କ ପୋଷ୍ଟ୍କୁ ପ୍ରଶଂସକଙ୍କ ଅପେକ୍ଷା ରହିଥିଲେ।ଶଶୁରଙ୍କ ଜନ୍ମଦିନରେ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇବାର ସୁଯୋଗକୁ ନୀଳନୟନା ଆଦୌ ବି ହାତଛଡ଼ା କରିନଥିଲେ। ତାହା ଭିନ୍ନ କଥା ଯେ ବିଶ୍ବ ସୁନ୍ଦରୀଙ୍କ ସେହି ପୋଷ୍ଟ୍କୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା।
ଶାଶୂ ଜୟା ବଚ୍ଚନଙ୍କ ସହ ସଂପର୍କ ଯାହା ବି ହେଉ, ଶଶୁର ଅମିତାଭଙ୍କ ସହ ଐଶ୍ବର୍ଯ୍ୟାଙ୍କ ଉତ୍ତମ ସଂପର୍କ ବିଷୟରେ ସଭିଙ୍କୁ ଜଣା। ଆପଣ ହୁଲତ ଜାଣିନଥିବେ ୨୦୦୭ ମସିହାରେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ବାହାଘର ପରେ ବୋହୂଙ୍କୁ ନେଇ କ’ଣ ମତ ଦେଇଥିଲେ ଅମିତାଭ।
ଯେତେବେଳେ ତାଙ୍କୁ ଘରକୁ ବୋହୂ ଆସିବା ପରେ କ’ଣ ପରିବର୍ତ୍ତନ ଆସିଛି ବୋଲି ପଚରାଗଲା ତ ସେ କହିଥିଲେ କି ବିଶେଷ କିଛି ନୁହଁ। ଜଣେ ଝିଅ (ଶ୍ବେତା) ଗଲା ଓ ଅନ୍ୟ ଜଣେ ଆସିଲା। ଅଭିଷେକଙ୍କ ବିବାହକୁ ନେଇ ସବୁଠାରୁ ଅଧିକ ଖୁସି ଥିଲେ ବିଗ୍ ବି।
ଅତୀତରେ ଜୟା କହିଥିଲେ ଯେ ‘ଅମିତାଭ ଘରକୁ ଆସିବା ପରେ ଐଶ୍ବର୍ଯ୍ୟାଙ୍କୁ ଦେଖିଦେଲେ ତାଙ୍କ ଆଖିରେ ଏକ ଭିନ୍ନ ଚମକ ଆସିଯାଏ। ଐଶ୍ବର୍ଯ୍ୟା ଆମ ଘରେ ଝିଅର ଅଭାବ ପୂରା କରିଛନ୍ତି। କିନ୍ତୁ ଏକଥା ଆମେ କେବେ ସ୍ବୀକାର କରିବୁନୁ ଯେ ଶ୍ବେତା ବଚ୍ଚନ ପରିବାରରେ ନାହାନ୍ତି ଓ ଏହା ମାନିବା କଷ୍ଟକର ମଧ୍ୟ।