ରେଖାଙ୍କ ପାଇଁ ଅମିତାଭ ଆଉଟ୍ ଅଫ୍ କଣ୍ଟ୍ରୋଲ

ବଲିଉଡ୍‌‌ରେ ଅମିତାଭ ଓ ରେଖାଙ୍କ ପ୍ରେମ ସମ୍ପର୍କକୁ ନେଇ ଢେର୍ ଗୁଜବ ଉଠିଛି। କହିବାକୁ ଗଲେ, ଅମିତାଭ ଓ ରେଖା ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ମଧ୍ୟ ରହିପାରୁ ନଥିଲେ। ଫିଲ୍ମ ‘ଦୋ ଅନଜାନେ’ରୁ ଏ ଦୁହେଁ ଏତେ ପାଖାପାଖି ହେଇଥିଲେ ଯେ ଏମାନଙ୍କୁ ପରସ୍ପରଠାରୁ ଦୂରେଇବା ସହଜ ନ ଥିଲା। ସବୁ ଠିକଠାକ୍ ଥା’ନ୍ତା, ଯଦି ଜୟପୁରରେ ଦୁହିଁଙ୍କ ଭିତରେ ଘଟିଥିବା ଘଟଣାଟି ଯଦି ସେତେବେଳେ ଲିକ୍ ହେଇ ନଥା’ନ୍ତା। ଚଳଚ୍ଚିତ୍ର ‘ଗଙ୍ଗା କୀ ସୌଗନ୍ଧ’ର ସୁଟିଂ ସମୟରେ ଅମିତାଭ ଓ ରେଖା ଜୟପୁର ଯାଇଥିଲେ। ସ୍ଥାନୀୟ ଲୋକେ ଯେତେବେଳେ ଜାଣିବାକୁ ପାଇଲେ କି ଅମିତାଭ ଓ ରେଖା ଉଭୟ ସୁଟିଂସେଟ୍‌ରେ ଅଛନ୍ତି, ସେଠାରେ ଭିଡ଼ ଜମି ଯାଇଥିଲା। ସେଇ ଭିଡ଼ ଭିତରେ ଜଣେ ରେଖାଙ୍କୁ ଥଟ୍ଟା କରିଥିଲା।

ମିଡିଆରେ କାଳେ କଥା ପ୍ରଘଟ ହେଇଯିବ, ୟୁନିଟ୍ ତରଫରୁ ଉକ୍ତ ବ୍ୟକ୍ତିଜଣଙ୍କୁ ବହୁ ସମୟ ଧରି ବୁଝାସୁଝା କରାଯାଇଥିଲା। ହେଲେ ସେ ବ୍ୟକ୍ତିଜଣକ କୌଣସି କଥା ମାନିବାକୁ ରାଜି ହେଲାନି। ସୁଟିଂସେଟ୍‌ରେ ବଡ଼ ପାଟି କରି ରେଖାଙ୍କୁ ଯାହାତାହା କହିବାକୁ ଲାଗିଲା। ପରିସ୍ଥିତି ଏମିତି ଜଟିଳ ହେଲା ଯେ ଶେଷରେ ଅମିତାଭ ଯାଇ ଲୋକଟିକୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ସେ ଜଣେ ଲୋକପ୍ରିୟ ଅଭିନେତା ବୋଲି ଭୁଲି ନିଜ ସୀମା ସରହଦ ଟପି ବିଲକୁଲ ଆଉଟ୍ ଅଫ୍ କଣ୍ଟ୍ରୋଲ ହୋଇଯାଇଥିଲେ। ଏହାପରେ ଲୋକେ ମଧ୍ୟ ଆହୁରି ସମାଲୋଚନା କଲେ ଯେ ଅମିତାଭ ରେଖାଙ୍କ ପାଇଁ ଏତେ ସିରିୟସ୍ କାହିଁକି, ବୋଧେ ଏ ଦୁହିଁଙ୍କ ଭିତରେ କିଛି ଅଛି? କେବଳ ‌ଏତିକି ନୁହେଁ, ଖାସ୍ ରେଖାଙ୍କ ପାଇଁ ବିବାହିତ ଅମିତାଭଙ୍କ ପାରିବାରିକ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଇଥିବା ମିଡିଆରେ ଖବର ପ୍ରଚାରିତ ହେଲା। ଏହାପରେ ବଲିଉଡ୍‌ରେ ଅମିତାଭ ଓ ରେଖାଙ୍କ ସମ୍ପର୍କକୁ ନେଇ ବାସ୍ତବ ଜୀବନ କାହାଣୀ ଆଧାରିତ ସିନେମା ‘ସିଲସିଲା’ ନିର୍ମାଣ ହେଲା। ଚଳଚ୍ଚିତ୍ର ‘ସିଲସିଲା’ ପରେ ଏ ଦୁହିଁଙ୍କୁ ନେଇ ବଜାରରେ ଏତେ ଗୁଜବ ଉଠିଲା ଯେ ଶେଷରେ ଅମିତାଭ ଆଉ ରେଖାଙ୍କ ସହ ଅଭିନୟ କରିବେନି କି ଦେଖା ହେବେନି ବୋଲି ରାଣ ଖାଇଥିଲେ।

ସମ୍ବନ୍ଧିତ ଖବର